
କନ୍ଧମାଳ, ୧୭ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଂଚଳର ଜଣେ ଆଗଧାଡିର ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ କନ୍ଧମାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ଦ୍ୱାରା ଏକ ଶ୍ରଦ୍ଧାଞ୍ଜଳି ସଭା ଫୁଲବାଣୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଅଶୋକ କୁମାର ମହାନ୍ତି, ବୈଦ୍ୟନାଥ ବେହେରା ଓ ଫିରିଙ୍ଗିଆ ପ୍ରେସ୍ କ୍ଲବ୍ ର ସଭାପତି ଉତମ ଖମାରି, ଫିରିଙ୍ଗିଆର ଆଗଧାଡିର ସମ୍ବାଦଦାତା ହୁରଞ୍ଜନ ସେଠୀ, ମନୋଜ କୁମାର ସାହୁ ଓ ଶୁଶାନ୍ତ ଦିଗାଲ ପ୍ରମୁଖ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କର ସାହସିକତା ଓ ସମ୍ବାଦ ପ୍ରସାରଣ କ୍ଷେତ୍ରରେ ନିର୍ଭିକତା ବାବଦରେ କହିଥିଲେ । ଅନୁଷ୍ଠାନର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଉପସ୍ଥିତ ସଭ୍ୟ ଲାଲନନ୍ଦ ପ୍ରଧାନ, ମୃତ୍ୟୁଞ୍ଜୟ ବେହେରା, କୋଷାଧ୍ୟକ୍ଷ ସାନ୍ତୋନ କୁମାର ମିଶ୍ର ଓ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସତପଥି ମଧ୍ୟ ଅମର ଆତ୍ମାର ସଦ୍ଗତି କାମନା କରି ଭଗବାନଙ୍କ ନିକଟରେ ପ୍ରାଥର୍ନା କରିଥିଲେ । ଏଥି ସହିତ ପ୍ରସ୍ତାବ ଅନୁସାରେ ନିକଟ ଭବିଷ୍ୟତରେ ଫିରିଙ୍ଗିଆ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରେ ସୁବ୍ରତ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ କରାଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଥିଲା । ତାଙ୍କ ଭଳି ଜଣେ ଯୁବ ପ୍ରତିଭାଙ୍କ ବିୟୋଗରେ ଫିରିଙ୍ଗିଆବାସୀ ମର୍ମାହତ ବୋଲି ପ୍ରକାଶ କରି ତାଙ୍କର ପ୍ରତିଭାକୁ ମନେରଖିବା ପାଇଁ ପ୍ରତି ବର୍ଷ ତାଙ୍କ ନାମରେ ବ୍ଲକ୍ ରେ କିଛିନା କିଛି କାର୍ଯ୍ୟକ୍ରମ କରିବା ପାଇଁ ପ୍ରେସ୍ କ୍ଲବ୍ କୁ ଅନୁରୋଧ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର ଦିବଙ୍ଗତ ସାମ୍ବାଦିକ ମହାନ୍ତିଙ୍କର ରେଡିଓ ସ୍ୱାତି ସହିତ ଥିବା ସମ୍ପର୍କ ଓ ତାଙ୍କର ଅନ୍ୟାନ୍ୟ କଳା କୌଶଳକୁ ବଖାଣିବା ସହିତ ଭଗବାନଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ