
ନିର୍ବାଚନ କମିଶନଙ୍କ ନାମରେ ଏକ ଦଲାଲକୁ ଅବସ୍ଥାପିତ କରାଯାଇଛି
ଅନୁଗୁଳରେ ଇଣ୍ଡିଆ ମେଣ୍ଟର ଏମଏମଡିଆର ବିରୋଧୀ ବିଶାଳ ସମାବେଶ
ଅନୁଗୁଳ ଠାରେ ଏମଏମଡିଆର ସଂଶୋଧିତ ଆଇନ-୨୦୨୬ ପ୍ରତ୍ୟାହାର ସହ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର, ରାଜସ୍ୱ ସ୍ୱାର୍ଥ ଓ ଆଦିବାସୀଙ୍କ ଅଧିକାରର ସୁରକ୍ଷା ଦାବିରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ବିଶାଳ ପରିବର୍ତ୍ତନ ରାଲି ଆୟୋଜନ ହୋଇଥିଲା ଏହି ରାଲିରେ ବିଭିନ୍ନ ଦଳର ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତାମାନଙ୍କ ସହ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ସରକାରଙ୍କ ଖଣିନୀତି ଏବଂ ଆଦିବାସୀ ମାରଣ କାର୍ଯ୍ୟକୁ ଘୋର ସମାଲୋଚନା କରିଛନ୍ତି ।
ସଭାପତି ଶ୍ରୀ ଦାସ ବିଶାଳ ସମାବେଶକୁ ଉଦବୋଧନ ଦେଇ କହିଛନ୍ତି ଯେ, ଓଡ଼ିଶାର ଜଳ, ଜମି ଓ ଖଣିଜ ସମ୍ପଦ ଉପରେ ରାଜ୍ୟବାସୀଙ୍କ ଅଧିକାର ସହ କୌଣସି ସାଲିସ୍ କରାଯିବ ନାହିଁ l ଆମ ଜଳ ଜଙ୍ଗଲ ଜମି ସହ ରାଜ୍ୟକୁ ମିଳୁଥିବା 15 ହଜାର କୋଟି ଟଙ୍କାର ରାଜସ୍ବ ମଧ୍ୟ ଛଡେଇ ନେଲେ । ପାଠ୍ୟ ପୁସ୍ତକ ତ୍ରୁଟିକରି ଆମ ପିଲାଛୁଆଙ୍କୁ ମୂର୍ଖ କରି ବିଜେପି ତାର ଗୋଲାମ କରିବାକୁ ଚାହୁଁଛି l ସରକାର ୟୁପିଆଇରେ ମଧ୍ୟ ଲୋକଙ୍କ ଉପରେ କର ଲଦିଦେଲେ l ମୋଦୀ ଶାହା ନିର୍ବାଚନ କମିଶନକୁ କଳଙ୍କିତ କରିଛନ୍ତି, ଆମ ଭୋଟ ଦେବା ଅଧିକାରକୁ ହତ୍ୟା କରିଥିବାବେଳେ ଜ୍ଞାନେଶ କୁମାର ଗଣତନ୍ତ୍ର ଚୋରୀ କରି ନେଇଛନ୍ତି l ନିର୍ବାଚନ କମିଶନର ନାମରେ ଜଣେ ଦଲାଲଙ୍କୁ ଅବସ୍ଥାପିତ କରିଛନ୍ତି l ଗଣତନ୍ତ୍ର ହେଉଛି ଆମ ମେରୁଦଣ୍ଡ, ଏହାକୁ ଭାଙ୍ଗିଦେଲେ ଦେଶ ବଞ୍ଚିବ କିପରି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି, ସେ ଏମଏମଡିଆର ବିଲ ଉପରେ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ଏବଂ ରାଜ୍ୟ ସରକାର କେନ୍ଦ୍ରର ଚାପରେ ନୁହେଁ, ଓଡ଼ିଶାର ସ୍ୱାର୍ଥକୁ ସର୍ବୋପରି ରଖି ସର୍ବଦଳୀୟ ବୈଠକ ଓ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ରାଜ୍ୟର ଅଧିକାର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନିଅନ୍ତୁ, ନଚେତ୍ ଏହି ସଂଘର୍ଷକୁ ଆହୁରି ବ୍ୟାପକ କରାଯିବ । ସଭାପତି ଶ୍ରୀ ଦାସ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆସନ୍ତା 29 ତାରିଖରେ ବିଧାନସଭା ସଭା ମହା ଘେରାଓ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗଦେଇ ରାଜ୍ୟସ୍ୱାର୍ଥ ପାଇଁ ସଂଗ୍ରାମରେ ଅବତୀର୍ଣ ହୁଅନ୍ତୁ l
ଏହି ରାଲିରେ କଂଗ୍ରେସ ନେତୃବୃନ୍ଦ ବିଧାୟକ ସିଏସ ରାଜନ ଏକ୍କା, ଓପିସିସି ଉପସଭାପତି ସସ୍ମିତା ବେହେରା, କୋଷାଧକ୍ଷ ସିଦ୍ଧାର୍ଥ ଦାଶ, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଛାତ୍ର କଂଗ୍ରେସ ସଭାପତି ବିଭୁତି ଭୂଷଣ ମହାପାତ୍ର, ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ପ୍ରଧାନ, ଢେଙ୍କାନାଳ ସଭାପତି ଛବିରାଜ ବିଶ୍ୱାଳ, ସମ୍ବଲପୁର ସଭାପତି ଅମିତ ଗୁରୁ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଏବଂ ହଜାର ହଜାର କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ l
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ