
ଭଦ୍ରକ, ୨୭ ସେପ୍ଟେମ୍ବର (ହି.ସ.) - ଗଣେଶ ଭସାଣି ଶୋଭାଯାତ୍ରାକୁ କେନ୍ଦ୍ର କରି ଧାମନଗର ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଓ ମାରପିଟ କୁ ନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ଉଭୟ ମାମଲାରେ ୩୮ ଜଣଙ୍କ ନାମ ରହିଛି। ଘଟଣାକୁ ନେଇ ଗାଁରେ ଉତେଜନା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।ପୁଲିସ ସୂତ୍ର ଅନୁସାରେ, ସେପ୍ଟେମ୍ବର ୨୪ ରେ ଗଣେଶ ଭସାଣି ଶୋଭାଯାତ୍ରାକୁ କେନ୍ଦ୍ର କରି ବିବାଦ ଘଟିଥିଲା। ଏନେଇ ମନୋରମା ଜେନାଙ୍କ ଅଭିଯୋଗ ଆଧାରରେ ନିତ୍ୟାନନ୍ଦ ଜେନାଙ୍କ ସମେତ ୧୮ ଜଣଙ୍କ ବିରୋଧରେ ଧାମନଗର ଥାନାରେ କେସ ନମ୍ବର ୪୧୪/୨୦୨୬ ରୁଜୁ ହୋଇଛି। ଅଭିଯୋଗରେ ଗାଳିଗୁଲଜ, ଆକ୍ରମଣ, ଜୀବନରୁ ମାରିଦେବା ଧମକ ଓ ମହିଳାଙ୍କ ଶାଳୀନତା ଭଙ୍ଗ ପାଇଁ ଉଦ୍ୟମ ଭଳି ଅଭିଯୋଗ ରହିଛି। ଏହି ମାମଲାର ତଦନ୍ତ ଏଏସଆଇ ଶିବଶଙ୍କର ଖିଲାର କରୁଛନ୍ତି। ସେହିପରି ଅନ୍ୟ ଏକ ଘଟଣାକୁ ନେଇ ମହେଶ୍ୱର ଜେନାଙ୍କ ଅଭିଯୋଗ ଆଧାରରେ ରବୀନ୍ଦ୍ର ଜେନାଙ୍କ ସମେତ ୨୦ ଜଣଙ୍କ ବିରୋଧରେ କେସ ନମ୍ବର ୪୧୩/୨୦୨୬ ରୁଜୁ ହୋଇଛି। ପଡ଼ୋଶୀଙ୍କ ମଧ୍ୟରେ ଲାଗିଥିବା କଳିକୁ ଛଡ଼ାଇବାକୁ ଯାଇଥିବା ତାଙ୍କ ବାପାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରିବାରୁ ଗାଳିଗୁଲଜ, ଆକ୍ରମଣ ଓ ହତ୍ୟା ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏହି ମାମଲାର ତଦନ୍ତ ଏସଆଇ ନାରାୟଣ ନାୟକ କରୁଛନ୍ତି।ପ୍ରଥମ ମାମଲା ରେ ବିଏନଏସ ର ଧାରା ୨୯୬, ୧୦୯, ୭୪, ୩୫୧(୨) ଓ ୩(୫), ଦ୍ୱିତୀୟ ମାମଲାରେ ଧାରା ୨୯୬, ୧୦୯, ୭୬, ୩୫୧(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଗୋଟିଏ ଦିନରେ ଗୋଟିଏ ଗାଁରୁ ୩୮ ଜଣଙ୍କ ନାମରେ ଦୁଇଟି ମାମଲା ରୁଜୁ ହେବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ