
ଝାରସୁଗୁଡ଼ା, ୨୭ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନା ଅଞ୍ଚଳରେ ଟ୍ରକ୍ ରୁ ଡିଜେଲ ଚୋରି ଘଟଣା ବଢ଼ିବା ନେଇ ଚିନ୍ତା ପ୍ରକାଶ ପାଇଛି। ଜାତୀୟ ରାଜପଥ-୪୯ କଡ଼ରେ ଠିଆ ହୋଇଥିବା ଟ୍ରକ୍ କୁ ଟାର୍ଗେଟ କରି ଏକ ଦଳ ଡିଜେଲ ଚୋରି କରୁଥିବା ଅଭିଯୋଗ ହୋଇଛି। ଚୋରିରେ ଏକ ବୋଲେରୋ ଗାଡ଼ି ବ୍ୟବହାର ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି।
କୋଲାବିରା ଗ୍ରାମ ମୁଣ୍ଡରେ ଥିବା ଗ୍ରୀନଭେଲି ହୋଟେଲ ସମ୍ମୁଖରେ ଗତ ୨୬ ତାରିଖ ରାତି ପ୍ରାୟ ୧୨ଟା ସମୟରେ ଏକ ଟ୍ରକ୍ ରୁ ଡିଜେଲ ଚୋରି ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ଏକ ବୋଲେରୋରେ କିଛି ଲୋକ ଆସି ପ୍ରାୟ ଏକ ଘଣ୍ଟା ଧରି ଟ୍ରକ୍ ରୁ ତେଲ ଚୋରି କରିଥିଲେ। ପରେ ସେମାନେ ବୋଲେରୋରେ କୁଚିଣ୍ଡା ରାସ୍ତା ଦେଇ ଚାଲିଯାଇଥିଲେ। ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା କୁହାଯାଉଛି। ଚୋରି ସମୟରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଜାରି ରହିଥିଲେ ମଧ୍ୟ ଦୁର୍ବୃତ୍ତମାନେ ନିର୍ଭୟରେ ଚୋରି କରୁଥିବା ଦୃଶ୍ୟ ରେକର୍ଡ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତ ଦେଢ଼ ମାସ ମଧ୍ୟରେ ଗ୍ରୀନଭେଲି ହୋଟେଲ ସମ୍ମୁଖରୁ ଅତି କମ୍ ରେ ୩ଟି ଟ୍ରକ୍ ରୁ ଡିଜେଲ ଚୋରି ହୋଇଥିବା ଅଭିଯୋଗ ରହିଛି। ଉଲ୍ଲେଖନୀୟ ଭାବେ, ଏହି ଘଟଣାଗୁଡ଼ିକରେ ସମାନ ପ୍ରକାରର ବୋଲେରୋ ବ୍ୟବହାର ହୋଇଥିବା ନେଇ ସୂଚନା ମିଳିଛି।
ବାରମ୍ବାର ଚୋରି ଘଟୁଥିବାରୁ ରାତିରେ ରାସ୍ତା କଡ଼ରେ ଟ୍ରକ୍ ରଖୁଥିବା ଡ୍ରାଇଭରମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଦୁର୍ବୃତ୍ତମାନଙ୍କ ପାଖରେ ମାରଣାସ୍ତ୍ର ଥିବା ନେଇ ମଧ୍ୟ ଅଭିଯୋଗ ଥିବାରୁ ଡ୍ରାଇଭରମାନେ ସୁରକ୍ଷା ଦୃଷ୍ଟିରୁ ଟ୍ରକ୍ ଭିତରେ ରହୁଥିବା କୁହାଯାଉଛି।
ଏପଟେ ଲଗାତାର ଚୋରି ଘଟଣା ସତ୍ତ୍ୱେ ଅଭିଯୁକ୍ତମାନେ ଧରାପଡ଼ିନଥିବାରୁ ପୁଲିସର ତଦନ୍ତ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରିବା ସହ ଘଟଣାରେ ବ୍ୟବହୃତ ଗାଡ଼ି ଓ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଦାବି ହେଉଛି। ରାତି ସମୟରେ ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ ବଢ଼ାଇବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ