
କେନ୍ଦୁଝର, ୨୭ ସେପ୍ଟେମ୍ବର (ହି.ସ.)- ମାନବ ଓ ହାତୀ ମଧ୍ୟରେ ସୁସ୍ଥ ସହବସ୍ଥାନ ଏବଂ ହାତୀ ସୁରକ୍ଷା ନେଇ କେନ୍ଦୁଝର ବନଖଣ୍ଡ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଛି। ସ୍ଥାନୀୟ କାଳୀ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ଶୋଭାଯାତ୍ରାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ଉଦଘାଟନ କରି ଛାତ୍ରଛାତ୍ରୀ ମାନେ ହିଁ ଅସଲି ସଚେତନତା ଦୂତ ବୋଲି ପ୍ରକାଶ କରିଥିଲେ। ଏହାକୁ କେବଳ ସଚେତନତା ଅଭିଯାନ ମଧ୍ୟରେ ସୀମିତ ନରଖି ଗାଁ ଗାଁ ରେ ଏହାର କାର୍ଯ୍ୟକାରି କରିବା ପାଇଁ ଆହ୍ୱାନ ଦେଇଥିଲେ।
ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ, ବନ ବିଭାଗର କର୍ମଚାରୀ ଓ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ।
ଛାତ୍ରଛାତ୍ରୀମାନେ ହାତରେ ବିଭିନ୍ନ ସଚେତନତାମୂଳକ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ମାନବ-ହାତୀ ସଂଘର୍ଷ ହ୍ରାସ ଏବଂ ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିଥିଲେ। ହାତୀଙ୍କ ଆବାସସ୍ଥଳୀ ସୁରକ୍ଷା, ହାତୀଙ୍କ ଚଳାଚଳ ପଥକୁ ସମ୍ମାନ କରିବା ଏବଂ ହାତୀ ଦେଖାଗଲେ ସତର୍କ ରହିବା ଭଳି ବିଭିନ୍ନ ବିଷୟରେ ଶୋଭାଯାତ୍ରା ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ମାନବ ଓ ହାତୀ ଉଭୟଙ୍କ ସୁରକ୍ଷା ପାଇଁ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ହାତୀ ଓ ମଣିଷ ମଧ୍ୟରେ ସହାବସ୍ଥାନର ବାର୍ତ୍ତା ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଆଶା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA