
ଗଞାମ, ୨୭ ସେପ୍ଟେମ୍ବର (ହି.ସ.) - ନାରାୟଣପୁର ଛକରେ ସ୍ତ୍ରୀକୁ ତଂଟି ଚିପି ହତ୍ୟା ଉଦ୍ୟମ ଓ ଆକ୍ରମଣ ମାମଲାରେ ଗୋପାଳପୁର ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଅଭିଯୁକ୍ତଜଣକହେଲେ ନାରାୟଣପୁର, ଗୋପାଳପୁରର ବି. ମାଧବ ରେଡ୍ଡୀ (୪୨) । ତାକୁ ଆଜି ସକାଳ ୮:୩୦ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଅଭିଯୋଗକାରିଣୀ ବି. ଧନଲକ୍ଷ୍ମୀ (୩୧) ୧୫ ବର୍ଷ ତଳେ ଅଭିଯୁକ୍ତଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ସ୍ୱାମୀ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାରୁ ସେ ଅଲଗା ରହୁଛନ୍ତି। ଏ ନେଇ ପୂର୍ବରୁ ଗୋପାଳପୁରରେ ଦୁଇଟି ଓ ବ୍ରହ୍ମପୁର ମହିଳା ଥାନାରେ ଗୋଟିଏ ମାମଲା ରହିଛି।
୧୮.୦୯.୨୦୨୬ ସନ୍ଧ୍ୟାରେ ନାରାୟଣପୁର ଛକ ମୋବାଇଲ ଦୋକାନରେ ଥିବା ବେଳେ ସ୍ୱାମୀ ଆସି ମୁହଁରେ ସିଗାରେଟ ଧୂଆଁ ଫିଙ୍ଗି ଅଶ୍ଳୀଳ ଗାଳି କରି ପୋଷାକ ଚିରି ଦେଇଥିଲା। ପୁଣି ୨୫.୦୯.୨୦୨୬ ସନ୍ଧ୍ୟାରେ ସେ ଅଗରବତୀ ବିକୁଥିବା ବେଳେ ତଳେ ପକାଇ ଛାତି ଉପରେ ବସି ବେକ ଚିପି ହତ୍ୟା ଉଦ୍ୟମ କରିଥିଲା ବେଳେ ସେ ଅଚେତ ହୋଇଯାଇଥିଲେ। ଏ ନେଇ ଗୋପାଳପୁର ଥାନା କେସ ନଂ ୫୫୯/୨୦୨୬ ରୁଜୁ ହୋଇ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ