
କେନ୍ଦୁଝର, 27 ସେପ୍ଟେମ୍ବର (ହି.ସ.) ଆଜି ‘ଓଡ଼ିଶା ସରକାରୀ ମୋଟର କର୍ମଚାରୀ ବିଶ୍ରାମ ଗୃହ’ (କେନ୍ଦୁଝର ଜିଲ୍ଲା ଶାଖା) ପରିସରରେ ଏକ ବନ୍ଧୁମିଳନ, ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଓ ଶ୍ରେଷ୍ଠ ଗାଡ଼ି ଚାଳକଙ୍କୁ ସମ୍ମାନୋତ୍ସବ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ସଂଘର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ। ମଞ୍ଚରେ ସଂଘର ସଭାପତି ଶ୍ରୀ ପର୍ଶୁରାମ ମହାନ୍ତି, ସମ୍ପାଦକ ଶ୍ରୀ ପ୍ରତାପ ଚନ୍ଦ୍ର ରାଜ, ଶ୍ରୀ କମଳାକାନ୍ତ ସିଂହ ଏବଂ ଶ୍ରୀ ସତ୍ୟନାରାୟଣ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସଂଘର ଉପଦେଷ୍ଟା ଶ୍ରୀ ମନୋଜ କୁମାର ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ସଂଘର ବରିଷ୍ଠ ସଦସ୍ୟ ସ୍ୱର୍ଗତ ମାନଗୋବିନ୍ଦ କୁଆଁରଙ୍କ ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ସମସ୍ତ ସଦସ୍ୟ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।
ଏହି ଅବସରରେ ଆଦର୍ଶ ଗାଡ଼ି ଚାଳକ ଶ୍ରୀ ନିରଞ୍ଜନ ଷଡ଼ଙ୍ଗୀଙ୍କ ସମେତ ଅବସର ଗ୍ରହଣ କରିଥିବା ସଦସ୍ୟ ଶ୍ରୀ ହେମନ୍ତ କୁମାର ନାଥ, ଶ୍ରୀ ଈଶ୍ୱର ଚନ୍ଦ୍ର ମହାନ୍ତ, ଶ୍ରୀ ନନ୍ଦ ପାତ୍ର, ଶ୍ରୀ ଜିତେନ୍ଦ୍ର କୁମାର ସାହୁ (ପଞ୍ଚାୟତିରାଜ ବିଭାଗ) ଏବଂ ଶ୍ରୀ ମନୋଜ କୁମାର ଦାସ (ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, କେନ୍ଦୁଝର)ଙ୍କୁ ମାନପତ୍ର, ଉତ୍ତରୀୟ, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ସଭାରେ ସଂଘର ସାଂଗଠନିକ ସ୍ଥିତି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସରକାରୀ, ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଂ ଗାଡ଼ି ଚାଳକଙ୍କ ସମେତ ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡରୁ ବହୁ ସଂଖ୍ୟାରେ ଚାଳକ ଭାଇମାନେ ଯୋଗ ଦେଇଥିଲେ।
ଶେଷରେ ଶ୍ରୀ ରାଜେଶ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସମସ୍ତେ ପ୍ରୀତିଭୋଜନରେ ଆପ୍ୟାୟିତ ହୋଇ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ କାର୍ଯ୍ୟକ୍ରମର ସମାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA