
ଝାରସୁଗୁଡା, ୨୭ ସେପ୍ଟେମ୍ବର (ହି.ସ.)- ବ୍ରଜରାଜନଗରରେ ପ୍ରସ୍ତାବିତ ଅଟଳ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ଦାଏର ଆପତ୍ତି ମାମଲାରେ ଜିଲ୍ଲାପାଳ ଶୁଣାଣି କରି ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛନ୍ତି। ଏହା ପରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିବା ଜଣାପଡ଼ିଛି।
ଓଡ଼ିଶା ହାଇକୋର୍ଟଙ୍କ ଡବ୍ଲୁପି (ସି) ନଂ. ୨୪୩୦୯/୨୦୨୬, କ୍ଷୀରୋଦ ପ୍ରଧାନ ବନାମ ରାଜ୍ୟ ସରକାର ମାମଲାରେ ୨୮ ଅଗଷ୍ଟ ୨୦୨୫ର ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଆବେଦନକାରୀ କ୍ଷୀରୋଦ ପ୍ରଧାନ ଓ ଲରେନ୍ସ ପ୍ରଧାନଙ୍କ ଅଭିଯୋଗର ଶୁଣାଣି କରିଥିଲେ।
ଆବେଦନକାରୀମାନେ ପ୍ରସ୍ତାବିତ ବସଷ୍ଟାଣ୍ଡ ସ୍ଥାନକୁ ନେଇ ବିଭିନ୍ନ ଆପତ୍ତି ଉଠାଇଥିଲେ। ସେମାନଙ୍କ ଯୁକ୍ତି ଥିଲା, ପ୍ରସ୍ତାବିତ ସ୍ଥାନର ଚାରିପାଖରେ ବ୍ରଜରାଜନଗର କଲେଜ, ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ପାର୍କ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଷ୍ଟାଡିୟମ ରହିଛି। ବସଷ୍ଟାଣ୍ଡ ନିର୍ମାଣ ହେଲେ ଟ୍ରାଫିକ ଜାମ, ଶବ୍ଦ ଓ ବାୟୁ ପ୍ରଦୂଷଣ ବଢ଼ିବା ସହ ଛାତ୍ରଛାତ୍ରୀ ଓ ରୋଗୀଙ୍କ ସୁରକ୍ଷା ପ୍ରଭାବିତ ହୋଇପାରେ ବୋଲି ସେମାନେ ଦର୍ଶାଇଥିଲେ। ଏଥିସହ ଜମିର କିସମ ଏବଂ ପିଆର୍ ନୋଟିସ ନଂ. ୩୧୬ରେ ପ୍ଲଟ୍ ନଂ. ୧୯୬୦ ସମ୍ପର୍କିତ ବିବରଣୀରେ ତ୍ରୁଟି ଥିବା ନେଇ ମଧ୍ୟ ଆପତ୍ତି ଉଠାଯାଇଥିଲା।
ଶୁଣାଣି ସମୟରେ ଜିଲ୍ଲାପାଳ ସମ୍ପୃକ୍ତ ନଥିପତ୍ର ଓ ଅଭିଯୋଗଗୁଡ଼ିକ ଯାଞ୍ଚ କରିଥିଲେ। ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ, ପ୍ରସ୍ତାବିତ ବସଷ୍ଟାଣ୍ଡ ପ୍ରକଳ୍ପ ଜନସାଧାରଣଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ। ନିର୍ମାଣ ସମୟରେ ସମସ୍ତ ବୈଧାନିକ ଅନୁମତି, ଟ୍ରାଫିକ ପରିଚାଳନା, ପାଦଚଲା ସୁରକ୍ଷା, ଶବ୍ଦ ନିୟନ୍ତ୍ରଣ ଓ ପରିବେଶ ସମ୍ବନ୍ଧୀୟ ନିୟମ ପାଳନ କରାଯିବ। ଏଥିସହ ବ୍ରଜରାଜନଗର କଲେଜ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରକଳ୍ପର ପ୍ରତିକୂଳ ପ୍ରଭାବ କମାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।
ଏହି ପରିସ୍ଥିତିରେ ବସଷ୍ଟାଣ୍ଡ ନିର୍ମାଣକୁ ରୋକିବା ପାଇଁ ପର୍ଯ୍ୟାପ୍ତ କାରଣ ନାହିଁ ବୋଲି ଜିଲ୍ଲାପାଳ ସେପ୍ଟେମ୍ବର ୨୧, ୨୦୨୬ର ଆଦେଶରେ ସ୍ପଷ୍ଟ କରିଛନ୍ତି। ନିୟମାନୁଯାୟୀ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ାଇବାକୁ ସେ ଅନୁମତି ଦେବା ପରେ ବସଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ ହୋଇଥିବା ଦେଖାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ