
ଚମ୍ପୁଆ, ୨୭ ସେପ୍ଟେମ୍ବର (ହି.ସ.)- ବିକାଶର ଦାବି କରୁଥିବା ପ୍ରଶାସନିକ ବ୍ୟବସ୍ଥା ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ସାଧାରଣ ଜନତା କିପରି ହଇରାଣ ହେଉଛନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ। ଗତ ୬ ମାସରୁ ଅଧିକ ସମୟ ହେବ ଏହି ବ୍ୟାଙ୍କରେ ବିଦ୍ୟୁତ କଟିଗଲେ ଗ୍ରାହକମାନେ କେବଳ ଟଙ୍କା ଜମା କରିପାରୁଛନ୍ତି, କିନ୍ତୁ ଟଙ୍କା ଉଠାଣ କରିବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛନ୍ତି। ଏଭଳି ଅଜବ ନୀତି ଓ ଅବ୍ୟବସ୍ଥା ଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରାହକମାନଙ୍କ ଅଭିଯୋଗ ଅନୁଯାୟୀ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଏଠାରେ ପରିଚାଳନା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ୟାଙ୍କରେ ସ୍ଥାୟୀ ଭାବରେ ଜେନେରେଟର କିମ୍ବା କୌଣସି ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ନାହିଁ। ଫଳରେ ବିଦ୍ୟୁତ ସରବରାହ ବନ୍ଦ ହେବାକ୍ଷଣି ଟଙ୍କା ଉଠାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି। କେବଳ ଜମା କାର୍ଯ୍ୟ ଚାଲୁ ରହୁଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ଟଙ୍କା ଉଠାଇବାକୁ ଆସୁଥିବା ଗ୍ରାହକମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। ଏହାଛଡ଼ା, ବ୍ୟାଙ୍କରେ ନିୟମିତ ଜଗୁଆଳୀ ମଧ୍ୟ ରହୁ ନାହାଁନ୍ତି। ଯାହାକି ଗ୍ରାହକ ଏବଂ ବ୍ୟାଙ୍କର ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ବ୍ୟାଙ୍କର କୌଣସି ଉଚ୍ଚପଦାଧିକାରୀ କିମ୍ବା ପରିଚାଳନା କର୍ତ୍ତୃପକ୍ଷ ଏହାର କୌଣସି ସମାଧାନ କରିବାକୁ ଦୃଷ୍ଟି ଦେଉନାହାଁନ୍ତି। ଅନ୍ୟ ସମସ୍ତ ବ୍ୟାଙ୍କରେ ବିଦ୍ୟୁତ ଗଲେ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ସବୁ ପ୍ରକାର କାର୍ଯ୍ୟ ହେଉଥିବା ବେଳେ କେବଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଭଣ୍ଡା ଶାଖାରେ କାହିଁକି ଏପରି ଅସ୍ୱାଭାବିକ ନିୟମ ଓ ସମସ୍ୟା ରହିଛି ? ଗ୍ରାମାଞ୍ଚଳର ଗରିବ ଓ ସାଧାରଣ ଲୋକମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ହେଉଥିବାରୁ ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ତେଣୁ ରାଜ୍ୟ ସରକାର, ବ୍ୟାଙ୍କର ମୁଖ୍ୟ ପରିଚାଳକ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବ୍ୟାଙ୍କରେ ଜେନେରେଟର ବ୍ୟବସ୍ଥା କରିବା ସହ ନିୟମିତ ଟଙ୍କା ଉଠାଣ ସେବା ବ୍ୟବସ୍ଥା କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta