
କେନ୍ଦୁଝର, 27 ସେପ୍ଟେମ୍ବର (ହି.ସ.)
ମାତୃଭାଷା ହେଉଛି ଗୋଟିଏ ସମାଜର ପରିଚୟ ଓ ସଂସ୍କୃତିର ମୁଖ୍ୟ ଆଧାର। ନିଜ ମାତୃଭାଷା ‘ହୋ’ର ସୁରକ୍ଷା, ପ୍ରଚାର-ପ୍ରସାର ଏବଂ ସାମାଜିକ ସଚେତନତା ସୃଷ୍ଟି ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଜୋନରେ ହୋ ସାମାଜ ପକ୍ଷରୁ ଏକ ବିଶାଳ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ମାତୃଭାଷାର ସୁରକ୍ଷା ସହ ବାଲ୍ୟ ବିବାହ, ନିଶା ନିବାରଣ, ଅନ୍ଧବିଶ୍ୱାସ ଓ ଶିକ୍ଷା ଭଳି ବିଭିନ୍ନ ସାମାଜିକ ପ୍ରସଙ୍ଗ ନେଇ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା।
ଏହି ସଚେତନତା ରାଲି ମୁଦ୍ରାବେଡା ଗ୍ରାମରୁ ବାହାରି ରାମଚନ୍ଦ୍ରପୁର, ଭୋଳବେଡା, ତୋରାଣିପୋଖରୀ, ପିପିଳିଆ, କଟରାବେଡା, ଖଣ୍ଟଘର, କାଶିବେଡା, ଢେଙ୍କିକୋଟ ଓ ସାନ୍ତରାପୁର ଦେଇ ବାରାହଟିପୁରାରେ ପହଞ୍ଚି ଶେଷ ହୋଇଥିଲା। ରାଲିରେ ହୋ ସାମାଜର ସଦସ୍ୟ ଓ ବିଭିନ୍ନ ପଞ୍ଚାୟତ କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ନିଜ ମାତୃଭାଷା ପ୍ରତି ସଚେତନତା ସୃଷ୍ଟି କରିଥିଲେ। ବିଶେଷକରି ଆଗାମୀ ୨୦୨୭ ଜନଗଣନାକୁ ଦୃଷ୍ଟିରେ ରଖି ହୋ ସମାଜର ନିଜସ୍ୱ ମାତୃଭାଷା ‘ହୋ’ ଓ ଜାତି 'ହୋ'କୁ ନିଜ ଜାତି ଓ ଭାଷା ଭାବେ ଚିହ୍ନଟ କରିବା ନେଇ ସମାଜରେ ସଚେତନତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିଜ ଭାଷା ଓ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସମସ୍ତେ ଏକଜୁଟ ହୋଇ ସଚେତନ ହେବାକୁ ରାଲି ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା।
ଏହା ସହ ସମାଜରେ ରହିଥିବା ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ମଧ୍ୟ ରାଲିରେ ସଚେତନତା ବାର୍ତ୍ତା ଦିଆଯାଇଥିଲା। ବାଲ୍ୟ ବିବାହ ରୋକିବା, ନିଶା ସେବନରୁ ଦୂରେଇ ରହିବା, ଅନ୍ଧବିଶ୍ୱାସକୁ ପରିତ୍ୟାଗ କରିବା ଏବଂ ଶିକ୍ଷାର ପ୍ରସାର କରିବା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହା ସହ ସମାଜର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ଓ ସଚେତନତାର ଭୂମିକା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ରାଲିରେ ହୋ ସାମାଜ ବ୍ଲକ ଉପଦେଷ୍ଟା ପାଣ୍ଡବ ଚାତମା, ସଭାପତି ପ୍ରହଲ୍ଲାଦ ଗାଗରାଇ, ସମ୍ପାଦକ ସୁଶାନ୍ତ କୁମାର ବାନରା, ଶୁକଦେବ ବଦ୍ରା, ରାମେଶ୍ୱର ସଏ, ଗୋବିନ୍ଦ ବାନ୍ଦିଆ, ମାନସିଂହ ତିଓ, ସୁନିଲ କୁମାର ଜାରିକା, ବାମା ଚରଣ ପୁର୍ତ୍ତି, ଶରତ କୁମାର ପୁର୍ତ୍ତି, ବିଶିକେସନ ସଏ, ଚଗଲୁ ଗାଗରାଇ, ଟୁନା କେରେଇ, ବିମଳ କେରେଇ, ଜିତେନ୍ଦ୍ର ମୁଣ୍ଡା, କୃଷ୍ଣ ଚନ୍ଦ୍ର ମୁଣ୍ଡା, ଦିଲିପ୍ କୁମାର ମୁଣ୍ଡା ଓ ରଘୁନାଥ ମୁଣ୍ଡାଙ୍କ ସମେତ ବ୍ଲକ ଓ ପଞ୍ଚାୟତ କମିଟିର ବହୁ କର୍ମକର୍ତ୍ତା ଓ ସଦସ୍ୟ ସାମିଲ ହୋଇଥିଲେ।
ହୋ ସାମାଜ ପକ୍ଷରୁ ସୂଚନା ଦିଆଯାଇଛି ଯେ, ମାତୃଭାଷା ‘ହୋ’ର ସୁରକ୍ଷା ଓ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହି ସଚେତନତା ଅଭିଯାନକୁ କ୍ରମେ ସମଗ୍ର କେନ୍ଦୁଝର ଜିଲ୍ଲାରେ ପହଞ୍ଚାଇବା ପାଇଁ ସମାଜ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA