
ଗଞାମ, ୨୭ ସେପ୍ଟେମ୍ବର (ହି.ସ.) - କୁକୁଡ଼ାଖଣ୍ଡି ହରିଜନ ସାହିରେ ବୋମାମାଡ଼, ମାରଣାସ୍ତ୍ର ସହ ଆତଙ୍କ ସୃଷ୍ଟି, ଲୋକଙ୍କୁ ଅଟକ ରଖିବା ଓ ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି ଘଟଣାରେ ବ୍ରହ୍ମପୁର ସଦର ପୋଲିସ ୧୩ ଜଣଙ୍କୁ ଗିରଫ କରିଛି।
ଗତ ତା୧୪.୦୯.୨୦୨୬ ରିଖ ଅପରାହ୍ନ ୪ଟାରେ ୮ ରୁ ୧୦ ଜଣିଆ ସଶସ୍ତ୍ର ଗ୍ୟାଙ୍ଗ ମୋଟରସାଇକେଲରେ ଖଣ୍ଡା ଓ ମାରଣାସ୍ତ୍ର ଧରି ବାଉରୀ ସାହିକୁ ଆସି ଦୁଇଟି ଝୋଟ ବୋମା ଫିଙ୍ଗି ଆତଙ୍କ ଖେଳାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଦୁଇଟି ଗାଡି ଓଡ଼ି-୦୭-ଏବି-୮୪୮୬ ପଲସର ଓ ଓଡ଼ି-୦୭-ବିଜି-୧୪୬୮ ସ୍କୁଟି ସହ ଧରିପକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ମାଡ଼ ମାରିଥିଲେ ଓ ଅନ୍ୟ ଜଣଙ୍କୁ ସାହି କମ୍ୟୁନିଟି ରୁମରେ ତାଲା ପକାଇ ଅଟକ ରଖିଥିଲେ।
ଖବର ପାଇ ପୋଲିସ ଟିମ୍ ଉଦ୍ଧାର ପାଇଁ ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ପୋଲିସ ଗାଡି ଭାଙ୍ଗିବା, ପଥର ଫିଙ୍ଗିବା, ପୋଲିସକୁ ଧମକ ଓ ଗାଳିଗୁଲଜ କରିଥିଲେ। ରାତି ୨ଟା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ତାଲା ଭିତରେ ବନ୍ଦୀ ଥିଲେ। ପରେ ବରିଷ୍ଠ ଅଧିକାରୀ, ଅତିରିକ୍ତ ପୋଲିସ ଫୋର୍ସ ଓ କୁକୁଡ଼ାଖଣ୍ଡି ତହସିଲଦାର ପହଂଚି ତାଙ୍କୁ ଉଦ୍ଧାର କରି ଏମକେସିଜିରେ ଭର୍ତି କରିଥିଲେ।
ଏ ନେଇ ବ୍ରହ୍ମପୁର ସଦର ଥାନା କେସ ନଂ ୫୮୪/୨୦୨୬ ସହ ୩ଟି ଅନ୍ୟ ମାମଲା (୫୮୩, ୫୮୫, ୫୯୨)ମାମଲା ରୁଜୁ ହୋଇଛି। ପୋଲିସ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଇନ ନିଜ ହାତକୁ ନ ନେବାକୁ ପୋଲିସ ଜନସାଧାରଣଙ୍କୁ ଅପିଲ କରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ