ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି : ପ୍ରତିକାର ଶୂନ
ପୁରୀ, ୨୭ ସେପ୍ଟେମ୍ବର (ହି.ସ.)- ବିଗତ ୨୦ ବର୍ଷ ଭିତରେ ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି । ଗଣମାଧ୍ୟମରେ ପ୍ରଚାର ପ୍ରସାର ଜୋର ହେଉଥିଲେ ମଧ୍ୟ ପ୍ରତିକାର ବ୍ଯବସ୍ଥା ଦେଖିବାକୁ ମିଳୁନାହିଁ । ୨୦୧୬ ମସିହାରେ ଏହିଭଳି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା । ସମୁଦ୍ରକୂଳେ ଜିଓ ସିନ୍ଥେଟିକ ପ୍
ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି : ପ୍ରତିକାର ଶୂନ


ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି : ପ୍ରତିକାର ଶୂନ


ପୁରୀ, ୨୭ ସେପ୍ଟେମ୍ବର (ହି.ସ.)- ବିଗତ ୨୦ ବର୍ଷ ଭିତରେ ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି । ଗଣମାଧ୍ୟମରେ ପ୍ରଚାର ପ୍ରସାର ଜୋର ହେଉଥିଲେ ମଧ୍ୟ ପ୍ରତିକାର ବ୍ଯବସ୍ଥା ଦେଖିବାକୁ ମିଳୁନାହିଁ । ୨୦୧୬ ମସିହାରେ ଏହିଭଳି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା । ସମୁଦ୍ରକୂଳେ ଜିଓ ସିନ୍ଥେଟିକ ପ୍ରାଚୀର ନିର୍ମାଣ କରାଯାଉନାହିଁ । ଉଚ୍ଚ ଜୁଆର କୂଳରେ ମାଡ ହେବା ପରେ କିଛି ଖାଲି ଜାଗା ରହିଲେ ଢେଉ ଦୁର୍ବଳ ହେବ । ରାସ୍ତା ନିର୍ମାଣ, ପ୍ରାଚୀର ନିର୍ମାଣ ଓ ଚଲାପଥ ନିର୍ମାଣ ଯୋଗୁ ଜୁଆର କୂଳରେ ମାଡ ହୋଇ ବାଲି ତାଡି ନେଉଛି । ସମୁଦ୍ରକୂଳେ ପ୍ରାକୃତିକ ଉପାୟରେ ଗଢି ଉଠିଥିବା ବାଲିବନ୍ତ ଅବକ୍ଷୟ ଯୋଗୁ ଜୁଆର ସହରମୁହାଁ ହେଉଛି ।

ପୁରୀ ସମୁଦ୍ରକୂଳ ଲଙ୍ଘିବାର ଅନେକ କାରଣ ରହିଛି । ସମୁଦ୍ରକୂଳରୁ ବାଲି ଉତ୍ତୋଳନ କରି ନେବା, ସମୁଦ୍ରକୂଳରେ ବଡ ବଡ ଅଟ୍ଟାଳିକା ନିର୍ମାଣ, ମଙ୍ଗଳା ମୁହାଣ ବାରମ୍ବାର ଦିଗ ପରିବର୍ତ୍ତନ କରିବା ଯୋଗୁ ପୁରୀ ସମୁଦ୍ରକୂଳ କ୍ଷୟ ହେଉଛି । ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି ଯୋଗୁ ବରଫ ତରଳି ସମୁଦ୍ରର ଜଳ ବୃଦ୍ଧି ଫଳରେ ଉଚ୍ଚ ଜୁଆର ଆସି ପୁରୀ ସମୁଦ୍ରକୂଳ ଖାଇ ଯାଉଛି । ବାରମ୍ବାର ଲଘୁଚାପ, ଅବପାତ, ସାମୁଦ୍ରିକ ବାତ୍ଯା ଯୋଗୁ ପୁରୀ ସମୁଦ୍ର ଅଶାନ୍ତ ହେଉଛି । ବାତ୍ଯା ସମୟରେ ଢେଉର ଉଗ୍ର ରୂପ, ଭୟଙ୍କର ଗର୍ଜନ ଓ ଢେଉ କୂଳକୁ ମାଡି ଆସିବା ଯୋଗୁ ବାଲି ତାଡି ନେଉଛି । ସମୁଦ୍ରକୂଳରେ ବଡ ବଡ ହୋଟେଲ ନିର୍ମାଣ, ବୋରିଂ କରି ଭୂତଳଜଳ ଉତ୍ତୋଳନ ଯୋଗୁ ବାଲିରେ ଚାପ ସୃଷ୍ଟି ହେଉଛି । ଯାହାଫଳରେ ପ୍ରାକୃତିକ ଅସନ୍ତୁଳନ ସୃଷ୍ଟି ହେଉଛି । ସମୁଦ୍ର ପାଣି ଠାରୁ ସାତଶହ ଫୁଟ ଖାଲି ଯାଗା ନଥିବାରୁ ଢେଉ କୂଳରେ ମୋଡି ହୋଇ ରାସ୍ତା ଖାଇ ଯାଉଛି । ସିଆରଜେଡ ଆଇନ ବାରମ୍ବାର ଉଲଙ୍ଘନ କରାଯାଉଛି । ମଙ୍ଗଳା ମୁହାଣରୁ ବାଲି ଉତ୍ତୋଳନ, ବାଲିବନ୍ତ ନଷ୍ଟ, ବ୍ଯାପକ ଝାଉଁଗଛ କାଟିବା, ମଙ୍ଗଳା ମୁହାଣ ବାରମ୍ବାର ଖୋଳିବା ଓ ପୋତିବା ଯୋଗୁ ଏହି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି । ମଙ୍ଗଳା ନଦୀ କୂଳରେ ଚାରି -ପାଞ୍ଚଟି ବଡ ହୋଟେଲ ଥିବାରୁ ମଙ୍ଗଳା ନଦୀର ଜଳ ୟୁ ଟର୍ଣ୍ଣ ପାଇଁ ସ୍ଥାନ ନପାଇ ଲାଇଟ ହାଉସ ପଟକୁ ମାଡି ଆସୁଛି । ନଦୀରେ ଯେତିକି ପଟୁ ମାଟି ଆସିବା କଥା ବ୍ରିଜ ଓ ଆନିକଟ ନିର୍ମାଣ ଯୋଗୁ ତାହା ସମୁଦ୍ରକୁ ଆସିପାରୁନାହିଁ । ଯାହାଫଳରେ ସମୁଦ୍ରଢେଉ କୂଳରୁ ବାଲି ତାଡି ନେଉଛି । ବାଲିବନ୍ତ ନଷ୍ଟ ଯୋଗୁ ଭୂଗର୍ଭିୟ ସ୍ଥିରତାରେ ଚହଲ ସୃଷ୍ଟି ହେଉଛି । ପ୍ରାକୃତିକ ବାଲିବନ୍ତ ଓ ହେନ୍ତାଳ ବଣ ନଥିବାରୁ ସମୁଦ୍ର ଢେଉ ସହର ମୁହାଁ ହେଉଛି । ମଙ୍ଗଳା ନଦୀର ଗତିପଥ ବାରମ୍ବାର ପରିବର୍ତ୍ତନ ଯୋଗୁ ସମୁଦ୍ରକୂଳରେ ଚାପ ସୃଷ୍ଟି ହେଉଛି । ପର୍ଯ୍ୟଟନର ବିକାଶ ଯୋଗୁ ସମୁଦ୍ରକୂଳେ ରାସ୍ତା ନିର୍ମାଣ, ବ୍ଯାପକ ଝାଉଁଗଛ କାଟିବା, ପ୍ରାଚୀର ନିର୍ମାଣ ଯୋଗୁ କୂଳର ବିନାଶ ଘଟୁଛି । ପୁରୀ ସମୁଦ୍ରକୂଳ ଖାଇବାରେ ଭୌଗୋଳିକ, ବୈଷୟିକ ଓ ବୈଜ୍ଞାନିକ କାରଣ ରହିଛି । ପୁରୀ ସମୁଦ୍ରକୂଳ ଢାଲୁ ପରି ସମୁଦ୍ର ଭିତରକୁ ରହିଛି । ପୁରୀ ବେଳାଭୂମିର ସୂବର୍ଣ୍ଣ ବାଲି କଣିକା ପାଣି ଶୋଷିନେବା ଓ ଛାଡିବା ଦକ୍ଷତା ରହିଥିବା ବେଳେ କୂଳରେ ଦୋକାନ ବଜାର ସ୍ଥାପନ ଯୋଗୁ ପ୍ରାକୃତିକ ସନ୍ତୁଳନ ବିଗୁଡୁଛି । ରାଜ୍ଯ ସରକାର ପୁରୀ ସମୁଦ୍ରକୂଳ ପ୍ରତି ଧ୍ୟାନ ଓ ପ୍ରତିକାର ନକଲେ ସମୁଦ୍ର ଭିତରେ ଦ୍ବାରିକା ପରି ଶ୍ରୀକ୍ଷେତ୍ର ବୁଡି ଯିବାର ଆଶଙ୍କା ସମ୍ପର୍କରେ ବୁଦ୍ଧିଜୀବୀ ଓ ପରିବେଶବିତ୍ ଆଲୋଚନା କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande