ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ
Puri Costal Marathan promo runn in Phulbani
ଫୋଟ ୨


ଫୋଟ


କନ୍ଧମାଳ , ୨୭ ସେପ୍ଟେମ୍ବର (ହି.ସ.) - ଆଗାମୀ ‘ପୁରୀ ଉପକୂଳ ମାରାଥନ୍‌’ ନିମନ୍ତେ ରାଜ୍ୟବ୍ୟାପୀ ଉତ୍ସାହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଫୁଲବାଣୀର ଐତିହାସିକ କରୋନେସନ୍ ପଡ଼ିଆଠାରେ ଏକ ଭବ୍ୟ ପ୍ରଚାରଧର୍ମୀ ମିନି-ମାରାଥନ୍ ଅନୁଷ୍ଠିତ ହୋଇଯାଇଛି।

ଏହି ଦୌଡ଼ ପ୍ରତିଯୋଗିତାକୁ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣ (ଆଇଏଏସ୍‌) ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍ଡିସି) ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ମିଳିତ ଭାବେ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ (ଡିଏସ୍‌ଓ)ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରି ଅତିଥିମାନେ ଉପକୂଳ କ୍ରୀଡ଼ା ପର୍ଯ୍ୟଟନ ସହିତ କନ୍ଧମାଳର ଯୁବପିଢ଼ି ତଥା କ୍ରୀଡ଼ା ଉତ୍ସାହକୁ ଯୋଡ଼ିବା ଦିଗରେ ପର୍ଯ୍ୟଟନ ବିଭାଗର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଶାରୀରିକ ସୁସ୍ଥତା, ସକ୍ରିୟ ଜୀବନଶୈଳୀ ଏବଂ ସାମାଜିକ ସହଭାଗିତା ଉପରେ ଗୁରୁତ୍ୱାରୋପ କରି ସ୍ଥାନୀୟ ଧାବକ ତଥା ଆଥଲେଟ୍ମାନଙ୍କୁ ପୁରୀ ଉପକୂଳ ମାରାଥନ୍ ଭଳି ବୃହତ୍ କ୍ରୀଡ଼ା ଉତ୍ସବରେ ଭାଗ ନେବାକୁ ଉତ୍ସାହିତ କରିଥିଲେ। ସେହିପରି ଏସ୍ଡିସି ଅଧ୍ୟକ୍ଷ ଶ୍ରୀ ପ୍ରଧାନ କ୍ରୀଡ଼ାକୁ ପର୍ଯ୍ୟଟନ, ସାମୂହିକ କଲ୍ୟାଣ ଏବଂ ଯୁବ ସଶକ୍ତୀକରଣ ମଧ୍ୟରେ ଏକ ସେତୁ ସଦୃଶ ବୋଲି ବର୍ଣ୍ଣନା କରିଥିଲେ।

ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତ ପଞ୍ଜୀକୃତ ଧାବକଙ୍କୁ ସ୍ୱତନ୍ତ୍ର ରନିଂ ଜର୍ସି ଏବଂ ପୌଷ୍ଟିକ ଜଳଖିଆ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ, ଛାତ୍ର ଆଥଲେଟ୍‌, କ୍ରୀଡ଼ାପ୍ରେମୀ ଏବଂ ପ୍ରଶାସନିକ କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଉତ୍ସାହ ପ୍ରଦର୍ଶନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande