
ଭଦ୍ରକ, ୨୭ ସେପ୍ଟେମ୍ବର (ହି.ସ.) - ସାଲନ୍ଦୀ ନଦୀରେ ଘାଇ ସୃଷ୍ଟି ହେବା ପରେ ଭଦ୍ରକ ଅଂଚଳର ଜଗନ୍ନାଥପୁର ଜେନାସାହିରେ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ଜଗନ୍ନାଥପୁରର ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ଜେନାସାହି ଏବଂ ନିକଟସ୍ଥ ଆଦିବାସୀ ସାହି ବନ୍ୟାଜଳରେ ପ୍ରଭାବିତ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ନଦୀରେ ଘାଇ ହେବା ଫଳରେ ପାଣି ଗାଁ ଭିତରକୁ ପଶୁଥିବାରୁ ଲୋକଙ୍କ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସୂଚନା ଅନୁଯାୟୀ, ଜଗନ୍ନାଥପୁର ଜେନାସାହି ୧୦ ନମ୍ବର ୱାର୍ଡର ପ୍ରାୟ ଶହେରୁ ଦୁଇଶହ ଗ୍ରାମବାସୀ ଏକାଠି ହୋଇ ନିଜ ଅଂଚଳର ସମସ୍ୟା ପ୍ରଶାସନର ଦୃଷ୍ଟିକୁ ଆଣିବାକୁ ଆଗେଇ ଆସିଛନ୍ତି। ସାଳନ୍ଦୀ ନଦୀ ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ବେଳେ ନଦୀରେ ସୃଷ୍ଟି ହୋଇଥିବା ଘାଇ ଦେଇ ପାଣି ଗାଁ ଆଡ଼କୁ ପ୍ରବେଶ କରୁଥିବା ଗ୍ରାମବାସୀଙ୍କ ଅଭିଯୋଗ। ବନ୍ୟାଜଳ ଗାଁ ଭିତରକୁ ପଶିବା ଫଳରେ ଅନେକ ଘର ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୧୦ରୁ ୧୨ଟି ଘର ଭାଙ୍ଗିବା ଅବସ୍ଥାକୁ ଆସିଥିବା ବେଳେ କେତେକ ଘରର କାନ୍ଥ ମଧ୍ୟ ଭାଙ୍ଗିଯାଇଛି। ଲଗାତାର ପାଣି ଜମି ରହିଲେ ଘରଗୁଡ଼ିକର ଅବସ୍ଥା ଆହୁରି ଖରାପ ହେବା ଆଶଙ୍କା ରହିଛି। ଘର ଭିତରେ ଓ ଘର ଚାରିପାଖରେ ପାଣି ଜମି ରହୁଥିବାରୁ ପରିବାରଗୁଡ଼ିକ ନିରାପଦରେ ରହିବା ନେଇ ଚିନ୍ତାରେ ଅଛନ୍ତି। ବିଶେଷକରି ଛୋଟ ପିଲା, ବୃଦ୍ଧ ଓ ମହିଳାମାନଙ୍କୁ ନେଇ ପରିବାରଗୁଡ଼ିକ ଚିନ୍ତିତ ଥିବା ଗ୍ରାମବାସୀ କହିଛନ୍ତି। କେବଳ ଜଳବନ୍ଦୀ ସମସ୍ୟା ନୁହେଁ, ବନ୍ୟାଜଳ ସହିତ ସାପ ଓ ବିଭିନ୍ନ ଜଳଚର ପ୍ରାଣୀ ଗାଁ ଭିତରକୁ ପଶିଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ପାଣି ଘେରି ରହିଥିବାରୁ ରାତି ସମୟରେ ଘରୁ ବାହାରିବା ମଧ୍ୟ ଲୋକଙ୍କ ପାଇଁ ଆଶଙ୍କାଜନକ ହୋଇପଡ଼ିଛି ବୋଲି ଗ୍ରାମବାସୀ କହିଛନ୍ତି। ସବୁଠାରୁ ଗୁରୁତର ଅଭିଯୋଗ ହେଉଛି ଏଭଳି ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଭାବିତ ପରିବାରଗୁଡ଼ିକ ପାଖରେ ଆବଶ୍ୟକ ପ୍ରଶାସନିକ ସହାୟତା ପହଂଚିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ରାଜସ୍ୱ ଓ ଦୁର୍ବିପାକ ପରିଚାଳନା ବିଭାଗର କର୍ମଚାରୀମାନେ ଅଂଚଳକୁ ଆସି ଘର ଓ ସମ୍ପତିର କ୍ଷୟକ୍ଷତି ଆକଳନ କରନ୍ତୁ, ପ୍ରଭାବିତ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉ, ପାନୀୟଜଳ ଓ ଆବଶ୍ୟକ ଖାଦ୍ୟସାମଗ୍ରୀ ବ୍ୟବସ୍ଥା କରାଯାଉ ଏବଂ ଆବଶ୍ୟକ ପଡ଼ିଲେ ନିରାପଦ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉ ବୋଲି ଦାବି ହୋଇଛି। ଗ୍ରାମବାସୀଙ୍କ ମୁଖ୍ୟ ଦାବି ହେଉଛି ସାଲନ୍ଦୀ ନଦୀରେ ସୃଷ୍ଟି ହୋଇଥିବା ଘାଇକୁ ଯଥାଶୀଘ୍ର ମରାମତି କରାଯାଉ। ଘାଇ ଖୋଲା ରହିଲେ ଆହୁରି ପାଣି ଗାଁ ଭିତରକୁ ପଶିବା ସହ ଘରଦ୍ୱାର ଓ ରାସ୍ତାଘାଟର କ୍ଷୟକ୍ଷତି ବଢ଼ିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିପାଇଁ ଜଳସମ୍ପଦ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଘାଇର ସ୍ଥିତି ଯାଂଚ କରିବା ସହ ତୁରନ୍ତ ପ୍ରତିରୋଧକ ବ୍ୟବସ୍ଥା ନେବାକୁ ମଧ୍ୟ ଦାବି ହୋଇଛି। ଜଗନ୍ନାଥପୁର ଜେନାସାହି ଓ ଆଦିବାସୀ ସାହିର ପ୍ରଭାବିତ ଲୋକମାନେ ସ୍ଥାନୀୟ ବିଧାୟକ, ସାଂସଦ ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କୁ ଅଂଚଳକୁ ଆସି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ନିବେଦନ କରିଛନ୍ତି। ଗ୍ରାମବାସୀଙ୍କ କହିବା କଥା, କାଗଜପତ୍ରରେ ସମସ୍ୟା ଦେଖିବା ଅପେକ୍ଷା ଘଟଣାସ୍ଥଳକୁ ଆସିଲେ ହିଁ ବନ୍ୟାଜଳର ପ୍ରକୃତ ପ୍ରଭାବ ଓ ଲୋକଙ୍କ ଦୁର୍ଦ୍ଦଶା ସ୍ପଷ୍ଟ ଭାବେ ଦେଖାଯିବ। ତେଣୁ ପ୍ରଶାସନିକ ଅଧିକାରୀଙ୍କ ସହ ଜନପ୍ରତିନିଧିମାନେ ମଧ୍ୟ ଅଂଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣନ୍ତୁ ବୋଲି ସେମାନେ ଦାବି କରିଛନ୍ତି। “ସାଳନ୍ଦୀ ନଦୀରେ ଘାଇ ହେବା ପରେ ଆମ ଗାଁ ଭିତରକୁ ପାଣି ପଶୁଛି। ଅନେକ ଘର ଭାଙ୍ଗିବା ଅବସ୍ଥାରେ ରହିଛି। ପାଣି ସହିତ ସାପ ଓ ଅନ୍ୟାନ୍ୟ ପ୍ରାଣୀ ମଧ୍ୟ ଗାଁ ଭିତରକୁ ଆସୁଛନ୍ତି। ଆମେ ଭୟ ଓ ଅସୁବିଧା ମଧ୍ୟରେ ରହୁଛୁ। ତେଣୁ ପ୍ରଶାସନ ତୁରନ୍ତ ଆମ ଅଂଚଳକୁ ଆସି ସ୍ଥିତି ଦେଖିବା ସହ ଆବଶ୍ୟକ ସହାୟତା ଯୋଗାଇଦିଅନ୍ତୁ। ଆମର ବିଧାୟକ ଓ ସାଂସଦ ମଧ୍ୟ ଅଂଚଳକୁ ଆସି ଆମ ସମସ୍ୟା ବୁଝନ୍ତୁ,” ବୋଲି ଗ୍ରାମବାସୀମାନେ ନିବେଦନ କରିଛନ୍ତି। ଏବେ ଗ୍ରାମବାସୀଙ୍କ ଦାବି ଉପରେ ପ୍ରଶାସନ କେବେ ପଦକ୍ଷେପ ନେଉଛି, ଘାଇ ମରାମତି କେବେ ଆରମ୍ଭ ହେଉଛି ଏବଂ ପ୍ରଭାବିତ ପରିବାରଙ୍କୁ କେବେ ଆବଶ୍ୟକ ସହାୟତା ମିଳୁଛି, ତାହାକୁ ନେଇ ଅଂଚଳବାସୀଙ୍କ ନଜର ରହିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ