
ଭୁବନେଶ୍ୱର, ୨୭ ସେପ୍ଟେମ୍ବର (ହି.ସ.)। ଡିଜିଟାଲ ନବସୃଜନ, ନିରନ୍ତର ପର୍ଯ୍ୟଟନ, ଐତିହ୍ୟ ଓ ସାହସିକ ପର୍ଯ୍ୟଟନ ସହ ସ୍ଥାନୀୟ ସମୁଦାୟର ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦେଇ ଓଡ଼ିଶାରେ ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ପାଳିତ ହୋଇଛି। ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
‘ପର୍ଯ୍ୟଟନର ପୁନଃ ପରିକଳ୍ପନା ପାଇଁ ଡିଜିଟାଲ ଆଜେଣ୍ଡା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)’କୁ ଚଳିତ ବର୍ଷର ମୁଖ୍ୟ ଭାବନା ଭାବେ ନେଇ ଆୟୋଜିତ ଏହି ସମାରୋହରେ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁଗମ, ସଂଯୋଜିତ ଓ ଭବିଷ୍ୟତମୁଖୀ କରିବାରେ ପ୍ରଯୁକ୍ତି ଓ ନବସୃଜନର ଭୂମିକା ଉପରେ ଆଲୋଚନା ହୋଇଥିଲା।
ସ୍ଥାନୀୟ ସମୁଦାୟକୁ ପର୍ଯ୍ୟଟନ ବିକାଶରେ ସାମିଲ କରିବାକୁ ଗୁରୁତ୍ୱ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ପର୍ଯ୍ୟଟନ କେବଳ ଭ୍ରମଣ ଓ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଜୀବିକା ସୃଷ୍ଟି, ଉଦ୍ୟୋଗିତା ବିକାଶ ଏବଂ ସ୍ଥାନୀୟ ସମୁଦାୟକୁ ଆର୍ଥିକ ଭାବେ ସଶକ୍ତ କରିବାର ଏକ ପ୍ରମୁଖ ମାଧ୍ୟମ। ଯୁବ, ମହିଳା, ଉଦ୍ୟୋଗୀ, କାରିଗର ଓ ପର୍ଯ୍ୟଟନ ସେବା ପ୍ରଦାନକାରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ସହ ପର୍ଯ୍ୟଟକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଡିଜିଟାଲ ନବସୃଜନ ଓ ନୂତନ ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ପର୍ଯ୍ୟଟନସ୍ଥଳୀର ସୂଚନା ପ୍ରାପ୍ତି, ପର୍ଯ୍ୟଟନ ସେବା ଓ ସାମଗ୍ରିକ ଭ୍ରମଣ ଅନୁଭୂତିରେ ଉନ୍ନତି ଆଣିହେବ ବୋଲି ସେ କହିଥିଲେ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପର୍ଯ୍ୟଟନ ପରିସଂସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସମନ୍ୱିତ ପ୍ରୟାସ, ସଂସ୍ଥାଗତ ସହଯୋଗ ଓ ନବସୃଜନର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ପର୍ଯ୍ୟଟନ ବିକାଶ ସହ ଗନ୍ତବ୍ୟସ୍ଥଳୀର ସୁପରିଚାଳନା ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏସ୍ବିଆଇ, ଏଏସ୍ଆଇ ଓ କାୟାକିଂ ଆସୋସିଏସନ୍ ସହ ଏମ୍ଓୟୁ
ଅବସରରେ ପର୍ଯ୍ୟଟନ ବିଭାଗ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ହୋମ୍ଷ୍ଟେଗୁଡ଼ିକୁ ଆର୍ଥିକ ସହାୟତା ଦେବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଐତିହ୍ୟ ପର୍ଯ୍ୟଟନର ବିକାଶ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ସହ ଏବଂ ସାହସିକ ପର୍ଯ୍ୟଟନର ପ୍ରସାର ପାଇଁ ଇଣ୍ଡିଆନ୍ କାୟାକିଂ ଆଣ୍ଡ କାନୋଇଂ ଆସୋସିଏସନ୍ ସହ ମଧ୍ୟ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା।
ଏହା ସହିତ ଓଟିଡିସିର ଅତ୍ୟାଧୁନିକ ଲକ୍ସୁରୀ କୋଚ୍ର ଶୁଭାରମ୍ଭ କରାଯାଇଥିଲା। ବାରକୁଳରେ ଓଟିଡିସିର ଇଭି ବୋଟ୍ ଏବଂ ଚିଲିକା ହ୍ରଦରେ ସ୍ୱସ୍ତି ପକ୍ଷରୁ ପରିଚାଳିତ କ୍ୟାଟାମାରାନ୍ର ଆଭାସୀ ଶୁଭାରମ୍ଭ ହୋଇଥିଲା।
୧୭୬ ହୋମ୍ଷ୍ଟେ ହିତାଧିକାରୀଙ୍କୁ ପ୍ରମାଣପତ୍ର
ଓଡ଼ିଶା ହୋମ୍ଷ୍ଟେ ଯୋଜନା ଅଧୀନରେ ୧୭୬ ଜଣ ହିତାଧିକାରୀଙ୍କୁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେହିପରି ସାହସିକ ପର୍ଯ୍ୟଟନ ଆୟୋଜକମାନଙ୍କୁ ଏଲ୍ଟିଓ/ଆର୍ଟିଏସ୍ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ହୋମ୍ଷ୍ଟେ ପରିଚାଳକଙ୍କ ଦକ୍ଷତା ବୃଦ୍ଧି ଏବଂ ଏଥନିକ୍ ପର୍ଯ୍ୟଟନ ସମ୍ପର୍କରେ ସଚେତନତା ପାଇଁ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା।
ଏଏସ୍ଆଇର ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ ଭାରତର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ଉପରେ ଗୁରୁତ୍ୱ ଦେଇଥିଲେ। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି)ର ଡେପୁଟି ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍ ଇସାବେଲ୍ ତ୍ସାନ୍ ଆଭାସୀ ମାଧ୍ୟମରେ ପର୍ଯ୍ୟଟନ ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ।
ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳୱନ୍ତ ସିଂହ କହିଥିଲେ ଯେ ଏହି ପଦକ୍ଷେପଗୁଡ଼ିକ ରାଜ୍ୟରେ ନୂଆ ଓ ବିବିଧ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି କରିବା ସହ ସ୍ଥାନୀୟ ଉଦ୍ୟୋଗିତା, ସଂସ୍ଥାଗତ ସହଯୋଗ ଓ ସମୁଦାୟର ଅଂଶଗ୍ରହଣକୁ ଆହୁରି ମଜବୁତ କରିବ।
ଦିନବ୍ୟାପୀ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନର ସମାପନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଐତିହାସିକ ଖଣ୍ଡଗିରିଠାରେ ନୂତନ ‘ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଆନୁଷ୍ଠାନିକ ଉଦ୍ଘାଟନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ