

ବଲାଙ୍ଗିର, ୨୭ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଦେଷଣ୍ଡ ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ଆଜି ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଏହି ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଲୁକ୍କାୟିତ ପର୍ଯ୍ୟଟନ କ୍ଷେତ୍ରର ବ୍ୟାପକ ପ୍ରଚାରପ୍ରସାର କରିବା ସହ ଆଞ୍ଚଳିକ ସାମାଜିକ-ଆର୍ଥିକ ବିକାଶକୁ ଗତିଶୀଳ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଏବଂ ଓଡ଼ିଶା ମାଇନିଂ କର୍ପୋରେସନ୍ ର ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୧୩ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟର ପ୍ରଥମ ଆନ୍ତର୍ଜାତୀୟ ଓ.ଏମ୍.ସି. ପୁରୀ କୋଷ୍ଟାଲ୍ ମାରାଥନ୍ର ସଚେତନତା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ‘ପ୍ରୋମୋ ରନ୍’ ଆୟୋଜିତ ହୋଇଥିଲା। ମେହେରକାଟାରୁ ଚାନ୍ଦଲି ପାହାଡ଼ ପର୍ଯ୍ୟନ୍ତ ଆୟୋଜିତ ଏହି ଦୌଡ଼ରେ ଶହ ଶହ ଯୁବକ, ପ୍ରକୃତିପ୍ରେମୀ ଓ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଣ୍ଟୁ ଖୋମାରି, ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟାଲିନା ପ୍ରଧାନୀ, ବରିଷ୍ଠ ସମାଜସେବୀ ଗୋପାଳଜୀ ପାଣିଗ୍ରାହୀ, ଦିନେଶ ଶର୍ମା ଓ ଲକ୍ଷ୍ମଣ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଚାନ୍ଦଲି ପାହାଡ଼ର ଗୌରବମୟ ଐତିହ୍ୟ, ସାଂସ୍କୃତିକ ମହତ୍ତ୍ୱ ଓ ଜୈବବିବିଧତା ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ମେହେରକାଟା ଓ ଚାନ୍ଦଲି ଅଞ୍ଚଳରେ ଉନ୍ନତ ଯାତାୟାତ, ବିଶୁଦ୍ଧ ପାନୀୟ ଜଳ, ଆଲୋକୀକରଣ ଭଳି ମୌଳିକ ଭିତ୍ତିଭୂମିର ବିକାଶ କରାଗଲେ, ଏହା ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିଉଠିବ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ହରି ଓମ୍ ଶମ୍ଭୁ ନାରାୟଣ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ସଚେତନ ନାଗରିକ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ