
ଜୟପୁର, ୨୭ ସେପ୍ଟେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଜି କୋରାପୁଟ ଜିଲ୍ଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ପିରିଞି ଓ ଚାନ୍ଦିଲି ଅଞ୍ଚଳର ବନ୍ୟା ପରିସ୍ଥିତି ଓ ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପରେ ସେ ଚାନ୍ଦିଲି ଉଚ୍ଚ ବିଦ୍ୟାଳୟରେ ସ୍ଥାପିତ ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ। ହେଲିକପ୍ଟର ରେ ଜୟପୁର ଏଟାର ପୋର୍ଟ ରେ ପହଞ୍ଚି ରାସ୍ତା େ`ାଗେ କୋଟପାଡ `ା ବନଯା ଅଞ୍ଚଳ ପରିଦର୍ଶନ କରିଥିଲେ । ସେଠାରୁ ଆସି ଜୟପୁର ଏୟାର ପୋର୍ଟ ରେ ସମିକ୍ଷା କରିଥିଲେ ।
ଆଶ୍ରୟ ସ୍ଥଳୀରେ ରହୁଥିବା ବନ୍ୟା ପୀଡ଼ିତ ପରିବାରଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା, ଆବଶ୍ୟକତା ଓ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ, ପାନୀୟ ଜଳ, ଶିଶୁ ଖାଦ୍ୟ ଓ ଔଷଧ ଯୋଗାଣର ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, “କୋରାପୁଟ ଜିଲ୍ଲାର ପ୍ରତ୍ୟେକ ବନ୍ୟା ପୀଡ଼ିତଙ୍କ ସହ ସରକାର ଅଛନ୍ତି। କ୍ଷୟକ୍ଷତି ଆକଳନ ପରେ ନିୟମାନୁଯାୟୀ ଆବଶ୍ୟକ ସହାୟତା ପ୍ରଦାନ କରାଯିବ।”
ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପରିସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ତିନି ଜିଲ୍ଲାର ବନ୍ୟା ପରିସ୍ଥିତି, ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ଆଶ୍ରୟ ସ୍ଥଳୀରେ ଉପଲବ୍ଧ ସୁବିଧା ଏବଂ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସମୀକ୍ଷା ବୈଠକରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବର୍ତ୍ତମାନ ଆଶ୍ରୟ ସ୍ଥଳୀରେ ରହୁଥିବା ବନ୍ୟା ପୀଡ଼ିତ ପରିବାରମାନଙ୍କ ପାଇଁ ୧୫ ଦିନର ଖାଦ୍ୟ, ରାସନ, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ। ଏଥିସହ ସମସ୍ତ ବନ୍ୟା ପୀଡ଼ିତଙ୍କୁ ନିୟମାନୁଯାୟୀ ଅଗ୍ରିମ କ୍ଷତିପୂରଣ/ସହାୟତା ରାଶି ଯୋଗାଇଦେବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବନ୍ୟା ଯୋଗୁଁ ଜମିରେ ଜମି ରହିଥିବା ପାଣିକୁ ନିଷ୍କାସନ କରିବା ପାଇଁ ଏକ ଟେକ୍ନିକାଲ୍ ଟିମ୍ ନିୟୋଜିତ କରାଯିବ। ପାଣି ନିଷ୍କାସନ ପରେ ଉକ୍ତ ଜମିରେ କିପରି ପୁନର୍ବାର ଚାଷ କରାଯାଇପାରିବ, ସେଥିପ୍ରତି ମଧ୍ୟ ଆବଶ୍ୟକ ଧ୍ୟାନ ଦିଆଯିବ। ବନ୍ୟା ପୀଡ଼ିତମାନଙ୍କ ନିକଟରେ ତୁରନ୍ତ ଆବଶ୍ୟକ ସହାୟତା ପହଞ୍ଚାଇବା ସହ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଚାଷ କାର୍ଯ୍ୟକୁ ସ୍ୱାଭାବିକ କରିବା ଦିଗରେ ସମନ୍ୱିତ ଭାବେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ଦିଆଯାଇଥିଲା।
ଏହି ଅବସରରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପେଶାଲ୍, ରିଲିଫ୍ କମିଶନର୍ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ରାଜସ୍ୱ, କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ, ନବରଙ୍ଗପୁର ଓ ମାଲକାନଗିରି ଜିଲାପାଳ, କୋରାପୁଟ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ବର୍ମା, ବିଧାୟକ ତାରା ପ୍ରସାହ ବାହିନିପତି, କୋଟପାଡ ବିଧାୟକ ରୁପୁ ଭତ୍ରା, କୋରାପୁଟ ବିଧାୟକ ରଘୁ ରାମ ମାଛ ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଶୁଭ୍ରା ପଣ୍ଡା, ଉପଜିଲ୍ଲାପାଳ କୋରାପୁଟ ସୁଶ୍ରୀ ଫାବି ରଶିଦ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ବେଣୁଧର ସବରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି