
କେନ୍ଦ୍ରାପଡ଼ା, ୨୭ ସେପ୍ଟେମ୍ବର (ହି.ସ.)। ବିଶ୍ୱ ନଦୀ ଦିବସ ଅବସରରେ କେନ୍ଦ୍ରାପଡ଼ାର ଗୋବରୀ ନଦୀର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ଜନସଚେତନତାର ବାର୍ତ୍ତା ଦିଆଯାଇଛି। ଏକଦା ଜନଜୀବନ ଓ ଜୀବିକାର ମୁଖ୍ୟ ଆଧାର ଥିବା ଗୋବରୀ ନଦୀ ଏବେ ଆବର୍ଜନାରେ ପୋତି ହେଉଥିବାରୁ ଏହାର ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି।
କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ନଦୀ ଦିବସରେ ଗୋବରୀ ନଦୀ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ନଦୀ ମାତା ଗୋବରୀଙ୍କ ଆଳତି କରାଯିବା ସହ ନଦୀକୁ ଶାଢ଼ି ପିନ୍ଧାଇ ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ କରାଯାଇଥିଲା।
କାର୍ଯ୍ୟକ୍ରମ ମାଧ୍ୟମରେ ଗୋବରୀ ନଦୀରେ ଆବର୍ଜନା ନ ପକାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରାଯାଇଥିଲା। ନଦୀକୁ ସ୍ୱଚ୍ଛ ରଖିବା ସହ ଏହାର ପ୍ରାକୃତିକ ପରିବେଶ ଓ ଜଳଧାରାର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ନାଗପୁର, ଦେପୁର, କଦଳୀବାଡ଼ି, ସାରଙ୍ଗ, ହଜାରିବଗିଚା ଓ ଆଳିଜଙ୍ଗା ଅଞ୍ଚଳର ବହୁ ଲୋକ ଯୋଗଦେଇଥିଲେ। କେନ୍ଦ୍ରାପଡ଼ା ସହରରେ ଏଭଳି ଏକ ନିଆରା ନଦୀ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ବୁଦ୍ଧିଜୀବୀ ଓ ବୟସ୍କମାନେ ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ପ୍ରଶଂସା କରିଥିଲେ।
ଟ୍ରଷ୍ଟର ସଭାପତି ଦମନ ମହାନ୍ତି କହିଥିଲେ, “ଜଙ୍ଗଲ ନାହିଁ, ନଦୀ ନାହିଁ; ଜଳ ନାହିଁ, ଜୀବନ ନାହିଁ।” ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ଓ ନଦୀର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ସେ ବାର୍ତ୍ତା ଦେଇଥିଲେ।
କାର୍ଯ୍ୟକ୍ରମରେ ଟ୍ରଷ୍ଟର ପରାମର୍ଶଦାତା ନିମାଇଁ ଚରଣ କର, ମୁଖପାତ୍ର ପ୍ରମୋଦ ନାୟକ, ପୂଜକ ହରେକୃଷ୍ଣ ପଢ଼ିଆରୀ, ମନୋଜ ନାୟକ, ସଂଗ୍ରାମ ଦାସ, ତପନ ସେନାପତି, ଜ୍ଞାନ ରଞ୍ଜନ ମହାନ୍ତି, ଅଜୟ କୁମାର ରାଉତ, ସନ୍ତୋଷ ତରାଇ, ରଞ୍ଜନ କୁମାର ମିଶ୍ର, ମନୋଜ ରାଉତ, ନରୋତ୍ତମ ବିଶ୍ୱାଳ, ରଘୁନାଥ ସ୍ୱାଇଁ ଓ ଜ୍ୟୋତିଷ ଗୌରାଙ୍ଗ ନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି