
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ମହାନଦୀ ଓ ଶାଖା ନଦୀରେ ଆସୁଛି ବନ୍ୟା ।
ଏନେଇ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ହୀରାକୁଦ
ଜଳଭଣ୍ଡାରରୁ ବନ୍ୟା ପାଣି ଛଡ଼ା ଯାଇଛି । ଆଜି ମୁଣ୍ଡଳିଠାରେ ଆସି ବନ୍ୟା ପାଣି ପହଞ୍ଚିଯିବ । କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା
ଓ ଦୟା ନଦୀରେ ବନ୍ୟା ଆସିବ । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ । ବାଙ୍କୀ, ଆଠଗଡ଼ ଓ
ବଡ଼ମ୍ୱା ଅଂଚଳ ଜଳମଗ୍ନ ହେବା ଆଶଙ୍କା ରହିଛି ।
ଜଳ ସଂପଦ ବିଭାଗ ସର୍ବୋଚ୍ଚ
ଯନ୍ତ୍ରୀ କହିଛନ୍ତି ଯେ,ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟ୍ରେ ବନ୍ୟା ପାଣି ଛଡ଼ା ଯାଇଛି । ଆଜି
ରାତିରେ ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । କାଲି ଦିନ ୧୦ଟା ସୁଦ୍ଧା ୮ ଲକ୍ଷ
କ୍ୟୁସେକ୍ ପ୍ରବାହିତ ହେବ । କୌଣସି ପରିସ୍ଥିତିରେ ୮ ଲକ୍ଷ କ୍ୟୁସେକ୍ରୁ ଅଧିକ ଜଳ ନ
ଛାଡ଼ିବାକୁ ଚେଷ୍ଟା କରାଯାଉଛି । ଲୁଣା,
କରାଣ୍ଡିଆ, ଚିତ୍ରୋତ୍ପଳା,
କାଠଯୋଡ଼ି, କୁଆଖାଇରେ ବନ୍ୟା ଆସିବ । ଦେବୀ, କନ୍ଦଳ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ, ମକରାରେ
ବନ୍ୟା ରହିବ । ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳ ପ୍ରଭାବିତ ହେବ । କେନ୍ଦ୍ରାପଡ଼ାର
ପାଟକୁରା, ଗରଦପୁର
ମଧ୍ୟ ପ୍ରଭାବିତ ହୋଇପାରେ । ବିଶେଷକରି କଣାସ,
ବ୍ରହ୍ମଗିରି,
ଗୋପ, ଏରସମା, ବାଲିକୁଦା ପ୍ରଭାବିତ ହେବ । ବାଙ୍କୀ, ଆଠଗଡ଼ ଓ ବଡ଼ମ୍ୱା ଅଂଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । ହୀରାକୁଦକୁ
ଅଧିକ ଜଳ ପ୍ରବେଶ କରୁଛି, ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା