
କେନ୍ଦ୍ରାପଡ଼ା, ୨୭ ସେପ୍ଟେମ୍ବର (ହି.ସ.)। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କେନ୍ଦ୍ରାପଡ଼ାରେ ‘ଓଡ଼ିଶା ପ୍ରୋମୋ ରନ୍–କେନ୍ଦ୍ରାପଡ଼ା’ ଆୟୋଜିତ ହୋଇଯାଇଛି। ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରସାର ସହ ଓଡ଼ିଶାର ପର୍ଯ୍ୟଟନ, କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରୋମୋ ରନ୍ରେ ଧାବକ ଓ ସାଧାରଣ ନାଗରିକଙ୍କ ଉତ୍ସାହଜନକ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା।
ଶନିବାର ସକାଳ ୬ଟା ୩୦ ମିନିଟ୍ରେ ଶ୍ରୀ ବଳଦେବ ଜୀଉ ମନ୍ଦିର ନିକଟସ୍ଥ ଯାତ୍ରୀ ନିବାସଠାରୁ ଏହି ପ୍ରୋମୋ ରନ୍ର ଶୁଭାରମ୍ଭ ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର. ଆୟର ପତାକା ଦେଖାଇ ରନ୍ର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶିବମ ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଏବଂ ମାଇ ଭାରତର ଯୁବ ଅଧିକାରୀ ସିଦ୍ଧାର୍ଥ ଯାଦବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଧାବକ ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ।
ନିର୍ଦ୍ଧାରିତ ମାର୍ଗ ଅନୁଯାୟୀ ଧାବକମାନେ ଶ୍ରୀ ଗୁଣ୍ଡିଚା ମନ୍ଦିର, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଓ ଇନ୍ଡୋର ଷ୍ଟାଡିୟମ୍ ଦେଇ ଦୌଡ଼ି ପୁନର୍ବାର ଶ୍ରୀ ବଳଦେବ ଜୀଉ ଯାତ୍ରୀ ନିବାସଠାରେ ପହଞ୍ଚିଥିଲେ। ସେଠାରେ ରନ୍ର ସମାପ୍ତି ହୋଇଥିଲା।
ପ୍ରୋମୋ ରନ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି କରିବା ସହ କେନ୍ଦ୍ରାପଡ଼ାର ସାଂସ୍କୃତିକ, ଐତିହାସିକ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିବା। ଏଥିସହ ଆଗାମୀ ‘ଓଏମସି ପୁରୀ କୋଷ୍ଟାଲ୍ ମାରାଥନ୍–୨୦୨୬’ ପାଇଁ ପ୍ରଚାର ଓ ଜନସଚେତନତା ସୃଷ୍ଟି କରିବା ମଧ୍ୟ ଏହି ପ୍ରୋମୋ ରନ୍ର ଅନ୍ୟତମ ଉଦ୍ଦେଶ୍ୟ ଥିଲା। ଉକ୍ତ ମାରାଥନ୍ ୧୩ ଡିସେମ୍ବର ୨୦୨୬ରେ ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର / ରବି