
କେନ୍ଦୁଝର, ୨୮ ସେପ୍େଟମ୍ବର (ହି.ସ.) - କେନ୍ଦୁଝର ସହରସ୍ଥିତ ଶଙ୍କରପୁର ଧରଣୀଧର କ୍ରୀଡ଼ା ପରିସରଠାରେ ଅନୁଷ୍ଠିତ ୭୦ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟସମୂହ ଦୌଡ଼କୁଦ ପ୍ରତିଯୋଗିତା ୨୦୨୬-୨୭ ଆଜି ଉଦ୍ୟାପିତ ହୋଇଛି। ଜିଲ୍ଲାର ୧୩ଟି ବ୍ଲକରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏହି ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେଇ ବିଭିନ୍ନ ଇଭେଂଟରେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।
ବିଭିନ୍ନ ବୟସ ବର୍ଗରେ ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ ସମେତ ବିଭିନ୍ନ ଦୌଡ଼କୁଦ ଇଭେଂଟରେ ଛାତ୍ରଛାତ୍ରୀମାନେ ଉତ୍ସାହ ଓ କ୍ରୀଡ଼ା ମନୋଭାବର ସହ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାର ଓଭରଅଲ୍ ଚାମ୍ପିୟନ୍ ଭାବେ ସଦର ବ୍ଲକ ୨୧୦ ପଏଂଟ ହାସଲ କରି ଚାମ୍ପିୟନ୍ ହୋଇଥିବାବେଳେ ହରିଚନ୍ଦନପୁର ବ୍ଲକ ୮୮ ପଏଂଟ ହାସଲ କରି ରନର୍ସଅପ୍ ହୋଇଛି।
ଉଦ୍ୟାପନୀ ସମାରୋହରେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ଓ କୃତି ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଖେଳାଳିମାନେ ନିଜର କ୍ରୀଡ଼ା ପ୍ରତିଭାର ବିକାଶ କରି ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟର ଗୌରବ ବଢ଼ାଇବାକୁ ସେ ପ୍ରେରଣାଦାୟକ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ସେକ୍ସନ ଅଫିସର ପ୍ରକାଶ ନାୟକ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତମ ପ୍ରଦର୍ଶନ ପାଇଁ ଧନ୍ୟବାଦ ଦେଇଥିଲେ। କେନ୍ଦୁଝର ଜିଲ୍ଲାର କ୍ରୀଡ଼ା ପ୍ରତିଭାକୁ ଆଗକୁ ନେବା ସହ ରାଜ୍ୟସ୍ତରରେ ଜିଲ୍ଲାର ନାମ ଉଜ୍ଜ୍ୱଳ କରିବାକୁ ସେମାନେ ଖେଳାଳିମାନଙ୍କୁ ଆହ୍ୱାନ ଦେଇଥିଲେ।
ପ୍ରତିଯୋଗିତାକୁ ସୁଚାରୁ ଭାବେ ପରିଚାଳନା ପାଇଁ ୫୦ ଜଣ ଅଫିସିଆଲ୍ ନିୟୋଜିତ ହୋଇଥିଲେ। ଜିଲ୍ଲା କ୍ରୀଡ଼ା ସେକ୍ରେଟାରୀ ପ୍ରଦୀପ ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ପ୍ରତିଯୋଗିତାର ସଫଳ ଆୟୋଜନରେ ପ୍ରଦୀପ ବାରିକ, ପ୍ରଶାନ୍ତ ପରିଡ଼ା, ମୌଳିନ୍ଦୁ ମହାନ୍ତ, ବାସୁଦେବ ପ୍ରଧାନ, ସମରଜିତ ସିଂହ, ଦିଲ୍ଲୀପ ନାଏକ, ସୁମନ୍ତ ମହାନ୍ତ, ବିଷ୍ଣୁପ୍ରିୟା ଓଝା, ପାର୍ବତୀ ମହାନ୍ତ, ରଞ୍ଜନ ମହାନ୍ତ, ପୁପୁନ ମହାନ୍ତ ଓ ରଶ୍ମିରେଖା ମହାନ୍ତଙ୍କ ଉଦ୍ୟମ ଓ ସହଯୋଗ ଉଲ୍ଲେଖନୀୟ ରହିଥିଲା।
ଏହି ଜିଲ୍ଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ପ୍ରତିଭା ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA