
ବଲାଙ୍ଗିର, ୨୮ ସେପ୍େଟମ୍ବର (ହି.ସ.) ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ ରଚନା' ପ୍ରତି ବର୍ଷ ଏହାର ପ୍ରତିଷ୍ଠାତା-ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ ଆୟୋଜନ କରିଆସୁଛି। ଏଥିରେ ଓଡ଼ିଆ ସାହିତ୍ୟର ଜଣେ ଲେଖକଙ୍କୁ ରାଜ୍ୟସ୍ତରୀୟ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର' ସ୍ୱରୂପ ଉତରୀୟ ଓ ସମ୍ମାନଫଳକ ସହିତ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଏହି ପୁରସ୍କାର ପାଇଁ ସାହିତ୍ୟିକ ଆଭାସ କୁମାର ବରାଳ ମନୋନୀତ ହୋଇଛନ୍ତି। ତାଙ୍କର ଏଯାଏଁ ଦଶଟି ଗଳ୍ପ ସଂକଳନ ଓ ଗୋଟିଏ କବିତା ପୁସ୍ତକ ପ୍ରକାଶିତ ଯାହା ପାଠକ ମହଲରେ ବେଶ୍ ଆଦୃତ। ବିଶେଷତଃ ଗଳ୍ପ ସାହିତ୍ୟରେ ତାଙ୍କର ନିରନ୍ତର ସୃଜନଶୀଳ ପ୍ରୟାସ, ନୂତନ ଭାବନା ଓ ପରୀକ୍ଷାମୂଳକ ଲେଖନଶୈଳୀ ତାଙ୍କୁ ଓଡ଼ିଆ ସାହିତ୍ୟର ଏକ ଉଲ୍ଲେଖନୀୟ ସ୍ୱର ଭାବେ ପରିଚିତ କରିଛି। ଆସନ୍ତା ରବିବାର ସନ୍ଧ୍ୟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅତିଥି ବକ୍ତା ଭାବରେ ପ୍ରଫେସର କାଳିଦାସ ମିଶ୍ର ପରିଚୟ ଖୋଜୁଛି ମଣିଷ' ବିଷୟରେ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ବୋଲି ରଚନା'ର ସଭାପତି ସନାତନ ଠାକୁର ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ