
ନୂଆଦିଲ୍ଲୀ, ସେପ୍ଟେମ୍ବର 28 (ହି.ସ): ଭାରତୀୟ ବ୍ୟାଙ୍କ ସଂଘ (ଆଇ. ବି. ଏ.) ସହିତ ଆଲୋଚନା ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅଧିକାରୀ ଏବଂ କର୍ମଚାରୀଙ୍କ ସଂଘ ପ୍ରସ୍ତାବିତ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟକୁ ସ୍ଥଗିତ ରଖିଛନ୍ତି। ଧର୍ମଘଟ ପ୍ରତ୍ୟାହାର ପରେ ସୋମବାର ଦିନ ବ୍ୟାଙ୍କଗୁଡ଼ିକ ଖୋଲା ରହିବ ଏବଂ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ।
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍ବିୟୁ) ସୋମବାରଠାରୁ ତିନି ଦିନିଆ ଧର୍ମଘଟ ଡାକରା ଦେଇଥିଲା। ବ୍ୟାଙ୍କଗୁଡ଼ିକର ଅର୍ଦ୍ଧବାର୍ଷିକ ବନ୍ଦ ପାଳନ ଅବସରରେ ଏହି ଧର୍ମଘଟ କରାଯିବାର ପ୍ରସ୍ତାବ ଦିଆଯାଇଥିଲା। ବ୍ୟାଙ୍କ ସଂଘଗୁଡ଼ିକର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ସାମିଲ ରହିଛି।
ସରକାରୀ ସୂତ୍ର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଆଇବିଏ ସହିତ ଆଲୋଚନାରେ ବ୍ୟାଙ୍କ ସଂଘଗୁଡ଼ିକ ସେମାନଙ୍କ ଦାବି ଉପରେ ଆଶ୍ୱାସନା ପାଇବା ପରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏକ ବିବୃତ୍ତିରେ ୟୁଏଫବିୟୁ କହିଛି ଯେ ଅବଶିଷ୍ଟ ଶନିବାରକୁ ଛୁଟି ଘୋଷଣା ପ୍ରସଙ୍ଗରେ ବିଚାରବିମର୍ଶ କରିବା ପାଇଁ ଆଇବିଏ ଏବଂ ୟୁଏଫବିୟୁର ଏକ ଉଚ୍ଚସ୍ତରୀୟ କମିଟି ତୁରନ୍ତ ଗଠନ କରାଯିବ। ଏହି କମିଟି ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରିବ ଏବଂ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା କରିବା ପରେ ଏକ ସମାଧାନ ଖୋଜିବ ଯାହା ଅଂଶୀଦାର ଏବଂ ବିଶେଷ କରି ଗ୍ରାହକଙ୍କ ପାଇଁ ଗ୍ରହଣୀୟ ହେବ।ବ୍ୟାଙ୍କ ସଂଘଗୁଡ଼ିକ କହିଛନ୍ତି ଯେ ସୋମବାର ଦିନ ବ୍ୟାଙ୍କଗୁଡ଼ିକ ଖୋଲା ରହିବ ଏବଂ ଧର୍ମଘଟ ପ୍ରତ୍ୟାହାର କରାଯାଇଥିବାରୁ ନିୟମିତ ବ୍ୟାଙ୍କିଙ୍ଗ ସେବା ଜାରି ରହିବ।
-------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା