
ନୂଆପଡ଼ା, ୨୮ ସେପ୍ଟେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଋଷିଗାଁ ପଂଚାୟତର ନରସିଂହପୁର ଗ୍ରାମର ବୃଦ୍ଧ ବିଶିକେଶନ ବନିଛୋର ଦୀର୍ଘ ଏକ ବର୍ଷ ହେଲା ବୃଦ୍ଧ ଭତା ପାଇନଥିବା ଅଭିଯୋଗ କରିଛନ୍ତି। ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ଭତା ହିଁ ତାଙ୍କ ଜୀବନଧାରଣର ଏକମାତ୍ର ଆଶ୍ରା। ହେଲେ ଦୀର୍ଘ ଏକ ବର୍ଷ ଧରି ଭତା ନମିଳିବାରୁ ସେ ଅତ୍ୟନ୍ତ ଦୁର୍ଦ୍ଦିନରେ ଦିନ କାଟୁଥିବା କହିଛନ୍ତି। ବିଶିକେଶନଙ୍କ ବୟସ ୮୦ ବର୍ଷରୁ ଅଧିକ ହୋଇଥିବା ବେଳେ ସେ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି। ଏଭଳି ସ୍ଥିତିରେ ଭତା ଟଙ୍କା ନମିଳିବା ତାଙ୍କ ପାଇଁ ଜୀବନଯାପନକୁ ଆହୁରି କଷ୍ଟକର କରିଦେଇଛି। ନିଜ ସମସ୍ୟା ଜଣାଇବା ପାଇଁ ଦୃଷ୍ଟିଶକ୍ତିହୀନ ଅବସ୍ଥାରେ ବହୁ କଷ୍ଟରେ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ସେ ତାଙ୍କର ବକେୟା ଏକ ବର୍ଷର ଭତା ଟଙ୍କା ତୁରନ୍ତ ପ୍ରଦାନ କରିବା ସହ ତାଙ୍କୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଅଧିକ ଭତା ଯୋଜନାରେ ସାମିଲ କରିବାକୁ ବ୍ଲକ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜଣେ ବୟସ୍କ ଓ ଦୃଷ୍ଟିଶକ୍ତିହୀନ ହିତାଧିକାରୀଙ୍କ ଦୀର୍ଘଦିନର ସମସ୍ୟା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ବିଏସଏସଓ କୁମର ମାଝୀଙ୍କୁ ଯୋଗାଯୋଗ କରାଯିବାରୁ ତଦନ୍ତ କରି ତୁରନ୍ତ ଭତା ପ୍ରଦାନ ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ