
୪୧ ଗୋଟି ଅଭିଯୋଗ ପଞ୍ଜୀକୃତ
ଝାରସୁଗୁଡା , 28 ସେପ୍ଟେମ୍ବର (ହି.ସ.)କୋଲାବିରା ବ୍ଲକ ମୁଖ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟାର ସିଧାସଳଖ ଶୁଣାଣି କରିଥିଲେ। ଲୋକଙ୍କ ସମସ୍ୟାଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଶୁଣାଣି ପ୍ରକ୍ରିୟାରେ ସମୁଦାୟ ୪୧ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜ୍ୟ ସରକାରଙ୍କ ‘ସୁଭଦ୍ରା ଯୋଜନା’ର ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ବହୁ ଅଭିଯୋଗ ଆସିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର ପାଇଁ ମଧ୍ୟ ଆବେଦନକାରୀମାନେ ଦାବି ଜଣାଇଥିଲେ। ଏହା ବ୍ୟତୀତ ବ୍ଲକ ଅଞ୍ଚଳରେ ରାସ୍ତା ନିର୍ମାଣ, ପୁରୁଣା ରାସ୍ତା ମରାମତି, ନିମ୍ନମାନର ନିର୍ମାଣ କାର୍ଯ୍ୟ ରୋକିବା ସହ ଟେଣ୍ଡର ସମ୍ପର୍କିତ ଅସୁବିଧା ଏବଂ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥାର ଉନ୍ନତୀକରଣ ଭଳି ଭିତ୍ତିଭୂମିଗତ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଅନ୍ୟାନ୍ୟ ଦରଖାସ୍ତଗୁଡ଼ିକୁ ନିର୍ଦ୍ଦିଷ୍ଟ ବିଭାଗୀୟ ଅଧିକାରୀଙ୍କ ନିକଟକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପ୍ରେରଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ