
ନୂଆଦିଲ୍ଲୀ, ୨୮ ସେପ୍ଟେମ୍ବର (ହି.ସ.)- ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାରିତାକୁ ନେଇ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେ. ପି. ନଡ୍ଡା କଂଗ୍ରେସ ଏବଂ ବିରୋଧୀ ମେଂଟ ଉପରେ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଏବଂ ବିରୋଧୀ ଦଳମାନେ ଦେଶର ବିକାଶ ଯାତ୍ରାରେ ହତାଶ ହୋଇଛନ୍ତି ଏବଂ ସେମାନଙ୍କ ନିକଟରେ ଭବିଷ୍ୟତ ପାଇଁ କୌଣସି ସ୍ପଷ୍ଟ ନୀତି କିମ୍ବା ନିର୍ଦ୍ଦିଷ୍ଟ ଯୋଜନା ନାହିଁ । ଏହି କାରଣରୁ ବିରୋଧୀ ଦଳ ଦେଶରେ ଦ୍ୱନ୍ଦ ଏବଂ ଅସ୍ଥିରତାର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।
ସୋମବାର ତାଙ୍କ ବାସଭବନରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଜେ.ପି. ନଡ୍ଡା କହିଛନ୍ତି ଯେ, ୧୪୦ କୋଟି ଦେଶବାସୀଙ୍କ ପ୍ରୟାସ ଦ୍ୱାରା ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛି ଏବଂ ବିଶ୍ୱ ସ୍ତରରେ ଦେଶର ପ୍ରଭାବ ବୃଦ୍ଧି ପାଉଛି । ତାଙ୍କ ମତରେ, କଂଗ୍ରେସ ଏବଂ ବିରୋଧୀ ମେଂଟ ଦେଶର ଏହି ପ୍ରଗତିକୁ ପସନ୍ଦ କରୁନାହାନ୍ତି ।
ନଡ୍ଡା ଅଭିଯୋଗ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ମଧ୍ୟ ଏକ କଥିତ ମନଗଢ଼ା କାହାଣୀକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ବର୍ତମାନ, ଅଭିଯୋଗ ଉପରେ ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ସତ୍ୱେ ବିରୋଧୀମାନେ ବାତାବରଣକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନ ଆୟୋଗ ନିକଟରେ କହିଛନ୍ତି ଯେ, ସ୍ୱତନ୍ତ୍ର ଇଂଟେଂନ୍ସିଭ୍ ରିଭ୍ୟୁ(ଏସ୍.ଆଇ.ଆର.) ସମେତ ଏହାର ନିଷ୍ପତିଗୁଡ଼ିକ ପୂର୍ଣ୍ଣ ଆୟୋଗଙ୍କ ସର୍ବସମ୍ମତ ନିଷ୍ପତି ଅଟେ ଏବଂ ଆୟୋଗ ସାମ୍ବିଧାନିକ ଏବଂ ବୈଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରନ୍ତି ।
ବିରୋଧୀଙ୍କ ରାଜନୀତି ଉପରେ ପ୍ରଶ୍ନ ଉଠାଇ ଜେ. ପି. ନଡ୍ଡା ଅଭିଯୋଗ କରିଛନ୍ତି ଯେ ବିରୋଧୀ ପ୍ରତିଦିନ ନୂଆ ନୂଆ ଅଭିଯୋଗ କରୁଛନ୍ତି, ଯାହା ଦେଶରେ ଦ୍ୱନ୍ଦର ବାତାବରଣ ସୃଷ୍ଟି କରୁଛି ଏବଂ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ସେ କହିଥିଲେ ଯେ, ବିରୋଧୀ ଦଳର କାର୍ଯ୍ୟଶୈଳୀରେ ଜାତୀୟ ସୁରକ୍ଷା, ଲୋକ କଲ୍ୟାଣ ଏବଂ ଦେଶର ମାନ-ସମ୍ମାନ ଭଳି ବିଷୟକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ