
ମାଲକାନଗିରି, ୨୮ ସେପ୍ଟେମ୍ବର (ହି.ସ.)- ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡାଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ତତ୍ତ୍ୱାବଧାନରେ ସମଗ୍ର ଜିଲ୍ଲାର ୧,୩୨୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଆଙ୍ଗନ କା ଉତ୍ସବ ଏବଂ ମୋ ଅଙ୍ଗନବାଡ଼ି ମୋ ଦାୟିତ୍ୱ କାର୍ଯ୍ୟକ୍ରମ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ପ୍ରତ୍ୟେକ କେନ୍ଦ୍ରରେ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟ, ଅଭିଭାବକ, ସ୍ଥାନୀୟ ପ୍ରତିନିଧି ଏବଂ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଶିଶୁ ସୁରକ୍ଷା ଓ ସାମଗ୍ରିକ ବିକାଶର ସଂକଳ୍ପ ନେଇଥିଲେ।
ତ୍ରିଦିବସୀୟ ଏହି ଅଭିଯାନର ପ୍ରଥମ ଦିନରେ ପୋଷଣ ମାସ ଆଧାରରେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ପାରମ୍ପରିକ ପୌଷ୍ଟିକ ଖାଦ୍ୟ ଏବଂ ପୋଷଣ ପିଠା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ପରିବାରରେ ଶିଶୁ ପୋଷଣ ପ୍ରତି ପିତାମାନଙ୍କ ଦାୟିତ୍ୱ ଓ ସହଭାଗିତା ବୃଦ୍ଧି କରିବା ପାଇଁ ପିତାମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ରନ୍ଧନ ଓ ପୋଷଣ ପିଠା ପ୍ରସ୍ତୁତି ପ୍ରତିଯୋଗିତା ସ୍ଥାନୀୟ ୱାର୍ଡମେମ୍ବର ଓ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନରେ ଶିଶୁମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଚିତ୍ରାଙ୍କନ, ଖେଳ, କାହାଣୀ କହିବା ଏବଂ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଜେଜେମା, ଅଜା ଓ ଆଈମାନଙ୍କ ମଧ୍ୟରେ କାହାଣୀ ପ୍ରତିଯୋଗିତା କରାଯାଇଥିଲା ଏବଂ କୋମଳମତି ଶିଶୁମାନଙ୍କୁ ସ୍ଥାନୀୟ ଫଳ ଓ ପୌଷ୍ଟିକ ମାଣ୍ଡିଆ କୁକିଜ୍ ବଣ୍ଟନ କରାଯାଇଥିଲା। ତୃତୀୟ ଦିବସରେ କିଶୋରୀ ବାଳିକା, ସୁଭଦ୍ରା ଓ ଲକ୍ଷପତି ଦିଦି ଯୋଜନାର ହିତାଧିକାରୀ, ଛୋଟ ଶିଶୁ ଏବଂ ସ୍କୁଲ ଶିଶୁଙ୍କୁ ଏକତ୍ରିତ କରି ସ୍ୱତନ୍ତ୍ର ସାମୁହିକ ଭୋଜିର ଆୟୋଜନ କରାଯିବା ସହ ଅଙ୍ଗନବାଡ଼ି ପରିଚାଳନା କମିଟି ପକ୍ଷରୁ ସେବା ନିଷ୍ଠା ପାଇଁ ଅଙ୍ଗନବାଡ଼ି କର୍ମୀ, ସହାୟିକା ଏବଂ ଆଶା କର୍ମୀଙ୍କୁ ଉତ୍ତରୀୟ ଓ ଫଳ ଝୁଡ଼ି ପ୍ରଦାନ କରି ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ଜିଲ୍ଲା ସ୍ତରୀୟ ପରିଦର୍ଶନ ଓ ସମୀକ୍ଷା ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପଣ୍ଡା ପ୍ରକାଶ କରିଛନ୍ତି ଯେ, ଶିଶୁର ପ୍ରାରମ୍ଭିକ ଶାରୀରିକ ଓ ମାନସିକ ବିକାଶ ହିଁ ତା'ର ସମୃଦ୍ଧ ଭବିଷ୍ୟତର ଭିତ୍ତିଭୂମି ଏବଂ ଜିଲ୍ଲାର ସମସ୍ତ ୧୩୨୪ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁ-ଅନୁକୂଳ ଓ ସୁଦୃଢ଼ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ଯଥା ସୁଭଦ୍ରା ଯୋଜନା, ମମତା ଯୋଜନା ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଦ୍ୟୁତ ବିଲ୍ ଓ ପରିଚାଳନା ପାଇଁ ଡିଜିଟାଲ ପୋର୍ଟାଲ ଦୀପ୍ତି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଅଧିକାରୀମାନେ କେନ୍ଦ୍ରଗୁଡ଼ିକରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଓ ସ୍ୱାଦ ପରଖିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଅଙ୍ଗନବାଡ଼ି ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ