
ଜୟପୁର, ୨୮ ସେପ୍ଟେମ୍ବର (ହି.ସ.)- ଜୟପୁର ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ୨୦୨୬-୨୭ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଉଦଯାପିତ ହୋଇଛି। ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଦୌଡ଼କୁଦ ଇଭେଣ୍ଟରେ ପ୍ରତିଯୋଗୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ (ଓଇଏସ୍-୧) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚନ୍ଦନ କୁମାର ନାୟକ, ବିଇଓ, ଜୟପୁର ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଥେଲେଟିକ ଆସୋସିଏସନ ର ସେକ୍ରେଟାରୀ ରବି ନାୟକ ଯୋଗଦେଇଥିବା ବେଳେ ଓଡ଼ିଶା ମାଇନ୍ସ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରଶାନ୍ତ ଦାସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଅତିଥିମାନେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ା କ୍ଷେତ୍ରରେ ନିୟମିତ ଅଭ୍ୟାସ, ଶୃଙ୍ଖଳା ଓ ନିଷ୍ଠାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଲଲାଟେନ୍ଦୁ ପୂଜାରୀ, ଡିପିଇଓ, କୋରାପୁଟଙ୍କ ନେତୃତ୍ୱରେ ଗଗନ ବିହାରୀ ଦାଶ, ସ୍ପୋର୍ଟସ ସେକ୍ରେଟାରୀ, ଜୟପୁର, ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ବିନୋଦ କୁମାର ତ୍ରିପାଠୀ, ପ୍ରସନ୍ନ କୁମାର ପାଣିଗ୍ରାହୀ ଓ ରମେଶ ଚନ୍ଦ୍ର ସ୍ୱାଇଁ, ଦିବାକର ସାହୁ, ମିନତୀ ପତ୍ର, ରଞ୍ଜିତ୍ ପ୍ରଧାନ, ପି.ରାଜେଶ୍ୱରୀ ଏବଂ ଶୁଭେନ୍ଦୁ ପ୍ରଧାନଙ୍କ ସମେତ ଏବଂ ଅନ୍ୟାନ୍ୟ ଶାରୀରିକ ଶିକ୍ଷା ଶିକ୍ଷକ ଓ କ୍ରୀଡ଼ା ଅଧିକାରୀଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଦୌଡ଼କୁଦ ଇଭେଣ୍ଟ ପରିଚାଳିତ ହୋଇଥିଲା। ଏହି ପ୍ରତିଯୋଗିତାରୁ ଚୟନ ହୋଇଥିବା ପ୍ରତିଭାବାନ ପ୍ରତିଯୋଗୀମାନେ ଆସନ୍ତା ୨ ତାରିଖରେ କେନ୍ଦୁଝରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଯୋଗଦେବେ। ରାଜ୍ୟସ୍ତରୀୟ ପ୍ରତିଯୋଗିତା ୩, ୪ ଓ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାରୁ ଚୟନ ହୋଇଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ଉତ୍ତମ ପ୍ରଦର୍ଶନ କରି ଜିଲ୍ଲାର ଗୌରବ ବଢ଼ାଇବେ ବୋଲି ଆଶା ପ୍ରକାଶ ପାଇଛି। ପରିଶେଷରେ ରଘୁନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି