
ଝାରସୁଗୁଡ଼ା, ୨୮ ସେପ୍ଟେମ୍ବର (ହି.ସ.) - ବୃନ୍ଦାମାଲସ୍ଥିତ ଷଡ଼ବଂଶୀୟ ଗୋଣ୍ଡ ସମାଜର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ରବିବାର ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ବସବାସ କରୁଥିବା ଷଡ଼ବଂଶୀୟ ଗୋଣ୍ଡ ସମାଜର ବିଭିନ୍ନ ଗୁଡ଼ି, ଆଂଚଳିକ କମିଟି ଏବଂ ଜୟପୁର ଇଷ୍ଟେଟ୍ କମିଟିର କର୍ମକର୍ତାମାନେ ଏଥିରେ ଯୋଗଦେଇଥିଲେ।
ଜିଲ୍ଲା ସଭାପତି ଜଗନ୍ନାଥ ଭୋଇ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ବୈଠକରେ ତୃଣମୂଳସ୍ତରରୁ ଜିଲ୍ଲା କମିଟିକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ସହ ବିଭିନ୍ନ ନିଷ୍ପତି ନିଆଯାଇଥିଲା। ଏଥିସହ ଗୋଣ୍ଡ ସମାଜର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଅକ୍ଷୁଣ୍ଣ ରଖିବା ଦିଗରେ ଯୁବପିଢ଼ି ଅଧିକ ସଚେତନ ହେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ।
ସମାଜର ମୌଳିକ ପରମ୍ପରାକୁ ସୁରକ୍ଷିତ ରଖିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଅନ୍ୟ ସମାଜର କେତେକ ପ୍ରଥା, ଯଥା ରିଙ୍ଗ୍ ସେରିମୋନି, ପ୍ରି-ୱେଡିଂ ଫଟୋସୁଟ୍ ଓ ପିଠାଖିଆ ଭଳି ପ୍ରଥାକୁ ଆପଣାଇବାରୁ ବିରତ ରହି ନିଜ ସମାଜର ପରମ୍ପରା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତି ହୋଇଥିଲା।
କାର୍ଯ୍ୟକ୍ରମରେ ଜୟପୁର ଇଷ୍ଟେଟ୍ ସଭାପତି ନବୀନ ଚନ୍ଦ୍ର ନାଏକ, ସମ୍ପାଦକ ଚୈତନ୍ୟ ନାଏକ, ବରିଷ୍ଠ ଉପଦେଷ୍ଟା ଅଭିମନ୍ୟୁ ନାଏକ, ଜିଲ୍ଲା ସମ୍ପାଦକ ତପି ମରେଇ, ଲଖନପୁର ବ୍ଲକ ସଭାପତି ଦଶରଥ ସିଂ, ସମ୍ପାଦକ ଦଳଗୋବିନ୍ଦ ଧୂରୁଆ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରାୟ ୩୦୦ ଜଣ ସଦସ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ