
ସମ୍ବଲପୁର, ୨୮ ସେପ୍ଟେମ୍ବର (ହି.ସ.)- ସୋମବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ସ୍ଥିତିକୁ ଦେଖି ଆଉ ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ମଧ୍ୟାହ୍ନ ୧୨ଟା ୩୫ ରେ ଗୋଟିଏ ଏବଂ ୧୨ଟା ୪୦ ରେ ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଫଳରେ ମୋଟ୍ ୩୦ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୨୦ଟି ଓ ଡାହାଣ ପାଶ୍ୱର୍ ଡାଇକ୍ ର ୧୦ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳ ପତନ ୬୨୯.୬୯ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୮୬ ହଜାର ୨୯୫ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩୦ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ, ପାୱାର ଚେନେଲ, ଶିଳ୍ପ ବ୍ୟବହାର ଓ ବିଭିନ୍ନ କେନାଲ ଦେଇ ମୋଟ୍ ୫ ଲକ୍ଷ ୨୯ ହଜାର ୧୧୮ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ ହେଉଛି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ହାରାହାରି ୦.୦୦ ମି.ମି. ଏବଂ ତଳ ମୁଣ୍ଡରେ ହାରାହାରି ୦.୨୭ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ