
ଝାରସୁଗୁଡ଼ା, ୨୮ ସେପ୍ଟେମ୍ବର (ହି.ସ.)- ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଅଧୀନରେ ଝାରସୁଗୁଡ଼ା ପୁଲିସକୁ ମିଳିଛି ସଫଳତା। ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ କିରାମା ଛକ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।
ପୁଲିସ ସୂଚନା ଅନୁଯାୟୀ, ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ୩୫ ମିନିଟ୍ ସମୟରେ ବନହରପାଲି ଥାନା ପୁଲିସ କିରାମା ଛକରେ ପାଟ୍ରୋଲିଂ ଓ ମୋଟରଯାନ ଯାଞ୍ଚ କରୁଥିଲା। ଏହି ସମୟରେ ବିନା ନମ୍ବର ପ୍ଲେଟ୍ ରେ ଏକ ଲାଲ୍ ରଙ୍ଗର ହିରୋ ଗ୍ଲାମର ମୋଟରସାଇକେଲରେ ଆସୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକାଇଥିଲା। ପୁଲିସକୁ ଦେଖି ସେ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ତାଙ୍କୁ କାବୁ କରିଥିଲା। ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ତାଙ୍କର ତଲାସୀ ନିଆଯିବାରୁ ଅଣ୍ଟାରେ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ମିଳିଥିଲା। ବନ୍ଧୁକ ରଖିବା କିମ୍ବା ବହନ କରିବା ପାଇଁ ତାଙ୍କ ନିକଟରେ କୌଣସି ବୈଧ ଲାଇସେନ୍ସ କିମ୍ବା ଅନୁମତି ନଥିବା ଜଣାପଡ଼ିଛି। ଏହି ଘଟଣାରେ ବନହରପାଲି ଥାନାରେ କେସ୍ ନମ୍ବର ୨୮୪, ତାରିଖ ୨୭.୦୯.୨୦୨୬ରେ ଅସ୍ତ୍ରଶସ୍ତ୍ର ଆଇନ, ୧୯୫୯ର ଧାରା ୨୫(୧-ବି)(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ବନ୍ଧବାହାଲ ପଞ୍ଚାୟତପଡ଼ାର ଗୁଡ୍ଡୁ ସା (୨୯)। ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିନା ପଞ୍ଜୀକରଣ ନମ୍ବରର ଲାଲ୍ ରଙ୍ଗର ହିରୋ ଗ୍ଲାମର ମୋଟରସାଇକେଲ ଜବତ କରାଯାଇଛି।
ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ଜବତ ବନ୍ଧୁକ କେଉଁଠାରୁ ଆସିଥିଲା ଏବଂ ଏହା ପଛରେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ