
ସଫେଇ, ରାଜସ୍ୱ ଆଦାୟ ଓ ଉନ୍ନୟନ କାର୍ଯ୍ୟ ପ୍ରଭାବିତ; ଖାଲି ପଦ ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଦାବି
ଝାରସୁଗୁଡ଼ା, ୨୯ ସେପ୍ଟେମ୍ବର (ହି.ସ.) ମାତ୍ର ୨୦ ଜଣ କର୍ମଚାରୀଙ୍କୁ ନେଇ ଚାଲିଛି ଝାରସୁଗୁଡ଼ା ପୌରପାଳିକା। ୮୦ଟି ମଞ୍ଜୁରିପ୍ରାପ୍ତ ପଦବି ମଧ୍ୟରୁ ୬୦ଟି ପଦ ଖାଲି ପଡ଼ିଥିବାରୁ ପୌରପାଳିକାର ଦୈନନ୍ଦିନ କାର୍ଯ୍ୟ ସହ ସହରର ବିଭିନ୍ନ ନାଗରିକ ସେବା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଅଗଷ୍ଟ ୩୧ ତାରିଖର କର୍ମଚାରୀ ସ୍ଥିତି ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ଏହି ଗୁରୁତର କର୍ମଚାରୀ ସଙ୍କଟରେ ତୁରନ୍ତ ହସ୍ତକ୍ଷେପ କରି ଖାଲି ପଡ଼ିଥିବା ପଦବିଗୁଡ଼ିକ ପୂରଣ କରିବାକୁ ପୌରପାଳିକା ଉପାଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ନେଇ ସେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚଭାନ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପତ୍ର ଲେଖିଛନ୍ତି।
ପୌରପାଳିକାରେ ମୋଟ ୮୦ଟି ମଞ୍ଜୁରିପ୍ରାପ୍ତ ପଦବି ଥିବା ବେଳେ ବର୍ତ୍ତମାନ ମାତ୍ର ୨୦ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଅର୍ଥାତ୍ ମଞ୍ଜୁରିପ୍ରାପ୍ତ କର୍ମଚାରୀଙ୍କ ପ୍ରାୟ ୭୫ ପ୍ରତିଶତ ପଦ ଖାଲି ପଡ଼ିଛି। ସବୁଠାରୁ ଗୁରୁତର ସ୍ଥିତି ସଫେଇ ବିଭାଗରେ ଦେଖାଦେଇଛି। ମଞ୍ଜୁରିପ୍ରାପ୍ତ ୨୧ଟି ସୁଇପର/ସୁଇପରେସ୍ ପଦ ମଧ୍ୟରୁ ଗୋଟିଏ ବି ପଦରେ ନିୟମିତ କର୍ମଚାରୀ ନାହାନ୍ତି।
ସେହିପରି ୧୫ଟି ଟିକସ ଓ ଫି ଆଦାୟକାରୀ ପଦ ମଧ୍ୟରୁ ୧୦ଟି ଖାଲି ରହିଛି। ୧୦ଟି ଜୁନିୟର ଆସିଷ୍ଟାଣ୍ଟ ପଦ ମଧ୍ୟରୁ ୭ଟି, ୫ଟି ସିନିୟର ଆସିଷ୍ଟାଣ୍ଟ ପଦ ଏବଂ ୪ଟି ଜମାଦାର ପଦ ସମ୍ପୂର୍ଣ୍ଣ ଖାଲି ରହିଛି। ଏହାଛଡ଼ା ପୌରପାଳିକାର ଉଭୟ ମଞ୍ଜୁରିପ୍ରାପ୍ତ ଜୁନିୟର ଇଞ୍ଜିନିୟର ପଦ ମଧ୍ୟ ଖାଲି ରହିଛି। ହେଡ୍ ଆସିଷ୍ଟାଣ୍ଟ, ହୋମିଓପାଥିକ୍ ଡାକ୍ତର, ୱାର୍କ ସରକାର, ପିଅନ୍/ଚୌକିଦାର ଏବଂ ଆମିନ ପଦରେ ମଧ୍ୟ ଖାଲି ପଡ଼ିଛି।
ଉପାଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଝାରସୁଗୁଡ଼ା ସହର ଦ୍ରୁତ ଗତିରେ ବିକଶିତ ହେଉଥିବା ବେଳେ ନୂଆ ନୂଆ ନାଗରିକ ସୁବିଧାର ଆବଶ୍ୟକତା ବଢ଼ିଚାଲିଛି। ଅନ୍ୟପକ୍ଷରେ ନିୟମିତ କର୍ମଚାରୀଙ୍କ ଅଭାବ ଯୋଗୁଁ ଉପଲବ୍ଧ କର୍ମଚାରୀଙ୍କ ଉପରେ ଅତିରିକ୍ତ ଚାପ ପଡ଼ୁଛି। ଫଳରେ ନାଗରିକ ସେବା, ରାଜସ୍ୱ ଆଦାୟ, ସଫେଇ, ପ୍ରଶାସନିକ କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପ୍ରଭାବିତ ହେଉଛି।
ଏହା ସହିତ ଆସନ୍ତା ଅକ୍ଟୋବର ୩୧ରେ ପୌରପାଳିକାର ଇଞ୍ଜିନିୟର ଅବସର ନେବାକୁ ଥିବାରୁ ଆଗାମୀ ଦିନରେ ପୌରପାଳିକାର ବୈଷୟିକ କାର୍ଯ୍ୟ ଓ ଉନ୍ନୟନମୂଳକ କାମର ତଦାରଖ ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ନିୟମିତ ଖାଲି ପଦବି ପୂରଣ ନହେବା ପର୍ଯ୍ୟନ୍ତ ଅନ୍ତତଃ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ନିୟୋଜିତ କରିବାକୁ ସେ ଦାବି କରିଛନ୍ତି।
ପୌରପାଳିକାର କର୍ମଚାରୀ ସ୍ଥିତି ବିବରଣୀ ଅନୁଯାୟୀ, ସଫେଇ, ବିଦ୍ୟୁତ୍ ଇଞ୍ଜିନିୟରିଂ, ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ଓ ବୈଷୟିକ ପରାମର୍ଶ ଭଳି କିଛି କାର୍ଯ୍ୟ ପାଇଁ ୱାର୍କଚାର୍ଜ୍ଡ, ଚୁକ୍ତିଭିତ୍ତିକ ଏବଂ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ସହାୟତା ନିଆଯାଉଛି। ତେବେ ପୌରପାଳିକାର ସୁଚାରୁ କାର୍ଯ୍ୟ ପାଇଁ ମଞ୍ଜୁରିପ୍ରାପ୍ତ ନିୟମିତ ପଦବିଗୁଡ଼ିକ ପୂରଣ କରିବା ଜରୁରୀ ବୋଲି ଉପାଧ୍ୟକ୍ଷ କହିଛନ୍ତି।
ଏ ସମ୍ପର୍କରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ କହିଛନ୍ତି, “ଏ ସମ୍ପର୍କରେ ବିଭାଗକୁ ଆମେ ଇତିମଧ୍ୟରେ ଅବଗତ କରାଇଛୁ।”
ନାଗରିକ ସେବାକୁ ସ୍ୱାଭାବିକ ରଖିବା ପାଇଁ ସରକାର ଏହି କର୍ମଚାରୀ ସଙ୍କଟର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଖାଲି ପଦବିଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ଉପାଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ