



ସମ୍ବଲପୁର, ୨୮ ସେପ୍ଟେମ୍ବର (ହି.ସ.) - ବର୍ତମାନ ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୬ ଲକ୍ଷ ଘନଫୁଟ୍ ପାଣି ପ୍ରତି ସେକେଣ୍ଡରେ ପ୍ରବେଶ କରୁଥିବା ବେଳେ ୩୦ ଟି ଗେଟ୍ ମାଧ୍ୟମରେ ଅବାରିତ ଜଳ ନିଷ୍କାସନ ଜାରି ରହିଛି। ଏହା ଫଳରେ ଅନେକ ତଳିଆ ଅଂଚଳରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବେଶ କରିଛି । ଏପରିକି ଆଖପାଖ ଅଂଚଳର କେତେକ ସ୍ଥାନ ବୁଡ଼ିଯାଇଥିବା ବେଳେ ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ହୀରାକୁଦରୁ ନିଷ୍କାସିତ ବନ୍ୟାଜଳ କଟକ ଜିଲ୍ଲାରେ ପହଂଚିବା ବେଳକୁ ଆସନ୍ତା କାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ୱ ଘନଫୁଟ୍ ପାଣି ଥିବା ଆକଳନ କରାଯାଉଛି। ଯାହାକି ରାଜ୍ୟରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତିର ଆଶଙ୍କା ସୃଷ୍ଟି କରିବାକୁ ଯାଉଛି । ମହାନଦୀ ଅବବାହିକାର ବିଭିନ୍ନ ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୁଳ ଓ କଟକ ସମେତ ବିଭିନ୍ନ ଜିଲ୍ଲାର ତଳିଆ ଅଂଚଳରେ ପାଣି ପଶିବା ଆରମ୍ଭ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳବର୍ତୀ ସମସ୍ତ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛି। ବିଶେଷକରି ରାସ୍ତା, ବ୍ରିଜ୍ ଓ ତଳିଆ ଅଂଚଳରେ ଲୋକଙ୍କ ଯାତାୟାତ ଉପରେ ପ୍ରଶାସନ ନଜର ରଖିଛି। ଏପରିକି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟକ୍ରମେ ଅଧିକ ଗେଟ୍ ଖୋଲାଯାଉ ଥିବାରୁ ତଳିଆ ଅଂଚଳବାସୀଙ୍କୁ ସତର୍କ ରହିବା ସହ ନଦୀ ଓ ଜଳ ପ୍ରବାହିତ ଅଂଚଳକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ସହ ସଚେତନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ