
ମାଲକାନଗିରି , ୨୮ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ାଘାଟସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଏକ ସଫଳତାପୂର୍ଣ୍ଣ ଅଧ୍ୟାୟ ଯୋଡ଼ିହୋଇଛି। ବହୁ ପ୍ରତୀ
କ୍ଷିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସକୁ ବିଦ୍ଧିବଦ୍ଧ ଭାବେ ଉଦଘାଟନ କରାଯାଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ କାର୍ଯ୍ୟକ୍ଷମ କରାଯାଇଛି। ଏହି ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ବାଳିକାମାନଙ୍କର ରହିବା ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବା ସହ ସେମାନଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ଏହି ସଫଳତା ପଛରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅକ୍ଲାନ୍ତ ପରିଶ୍ରମ, ନିଜସ୍ୱ ପ୍ରଚେଷ୍ଟା ଏବଂ ନିରବଚ୍ଛିନ୍ନ ନେତୃତ୍ୱ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ଛାତ୍ରୀମାନଙ୍କ ରହିବା ଓ ପାଠପଢ଼ାର ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ଜିଲ୍ଲାପାଳ ନିଜେ ସମସ୍ତ ବାଧାବିଘ୍ନକୁ ଆପଣେଇ ନେଇଥିଲେ ଏବଂ ଅହରହ ସମୀକ୍ଷା କରି ଏହି ଆବାସିକ ପ୍ରକଳ୍ପକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଇଥିଲେ। ଜିଲ୍ଲାପାଳଙ୍କ ଏହି ନିଷ୍ଠାପର ଦୂରଦୃଷ୍ଟି ଯୋଗୁଁ ହିଁ ଆଜି ଦୂରଦୂରାନ୍ତରୁ ଆସୁଥିବା ଶହ ଶହ ବାଳିକାଙ୍କ ପାଇଁ ଏକ ସୁରକ୍ଷିତ ଓ ଅନୁକୂଳ ପାଠପଢ଼ା ପରିବେଶ ସମ୍ଭବ ହୋଇପାରିଛି।
ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ଆଦେଶ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ଗଣ୍ଡ, ବରିଷ୍ଠ ଯନ୍ତ୍ରୀ ସରୋଜ କୁମାର ସାମନ୍ତରାୟ ଏବଂ ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ଉପସ୍ଥିତ ରହି ଉଦଘାଟନୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦିତ କରିଥିଲେ।
ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ବ୍ଲକ ଚେୟାରମେନ ବିଘ୍ନ କିର୍ଷାନି ଜିଲ୍ଲା ପରିଷଦ ସଭ୍ୟ ବଳିରାମ ମାଝୀ, ସରପଞ୍ଚ ଗୁର ମାଲାରିଆ, ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କମଲ ସିଂ ବାକା, ନୋଡାଲ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ନାୟକ, ଗୁମ୍ମା ଓଏଭି ପ୍ରିନ୍ସିପାଲ ମହେଶ୍ୱର ସ୍ୱାହୋ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ ଅଭିଭାବକବୃନ୍ଦ ଉପସ୍ଥିତ ଥିଲେ।
ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେବା ଦ୍ୱାରା ଅଞ୍ଚଳରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି। ବାଳିକା ଶିକ୍ଷାର ସୁରକ୍ଷା ଓ ପ୍ରଗତି ପାଇଁ ସମସ୍ତ ବ୍ୟକ୍ତିଗତ ପ୍ରଚେଷ୍ଟା ଦେଇ ଏହି ସ୍ୱପ୍ନକୁ ସାକାର କରିଥିବାରୁ ସ୍ଥାନୀୟ ଜନସାଧାରଣ, ଅଭିଭାବକ ଓ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଆନ୍ତରିକ କୃତଜ୍ଞତା ଓ ପ୍ରଶଂସା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ