
ଗଞ୍ଜାମ, ୨୮ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବାର୍ଦ୍ଧକ୍ୟରେ ନିରୋଗ ପାଇଁ ସଚେତନତା ଓ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ, ବାର୍ଦ୍ଧକ୍ୟରେ ମଧୁମେହ, ରକ୍ତଚାପ, କଟିବାତ, ଗଣ୍ଠିବାତ, ସ୍ମୃତିନାଶ, ନିଦ୍ରା ହୀନତା, କୋଷ୍ଠକାଠିନ୍ୟ ଆଦି ରୋଗ ହୁଏ। ଏହି ସବୁଥିର କାରଣ ଅଶାନ୍ତି, ଅଜୀର୍ଣ୍ଣ, ଆଶା। ଆପଣ ଯେଉଁ ଆଡ଼େ ଗଲେ ପିଲାଙ୍କ ପାଇଁ ଖାଇବା ପିନ୍ଧିବା ପାଇଁ କିଛି ଆଣୁଥିଲେ, ଆଗେ ପିଲାକୁ ଗେଲ କରି ଘରେ ପଶୁ ଥିଲେ ଏବେ ସେହି ଗୁଡିକ ମନରେ ଭାବିବେ ନାହିଁ, ଅତୀତକୁ ପୂରା ଭୁଲି ଯିବେ। ପିଲାମାନେ ପଡିଗଲେ ଅନେକ ଥର ଉଠାଇ ଥିବେ, ଗୋଟିଏ କଥା ବାରମ୍ବାର ପଚାରିଲେ କହିଥିବେ, ସେହିଗୁଡିକ ଆଶା କରିବେ ନାହିଁ। ଅଜୀର୍ଣ୍ଣ, ରାଗ, ଅତି ଭୋଜନ ଖାଇବେ ନାହିଁ। ଅଧିକ ସମୟ ପୁରାଣ ଓ ଭକ୍ତି ରସରେ ବୁଡି ରହିବେ। ଶିଶୁଙ୍କ ସହିତ ଖେଳିଲେ ବା ଖୁଆଇଲେ ଯଦି ସେମାନଙ୍କ ବାପାମାଆ ବାରଣ କରୁଛନ୍ତି ନିବୃତ୍ତ ରହିବେ। ରୁଟି, ମାଣ୍ଡିଆ, ଭାତ, ଅମୃତଭଣ୍ଡା, ଶାଗ, ସବୁଜ ପରିବା, ଅଦା, ରସୁଣ ଖାଇବେ, ପାଣି ପିଇବେ, ରାଗିବେ ନାହିଁ। ଯୋଗ, ଆସନ, ପ୍ରାଣାୟାମ କରି ଆଠ ଘଣ୍ଟାରୁ ଅଧିକ ଶୋଇଲେ ଉପରୋକ୍ତ ରୋଗ ସବୁ ହେବନାହିଁ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ