
କେନ୍ଦୁଝର, 28 ସେପ୍ଟେମ୍ବର (ହି.ସ.) ଘଟଗାଁ ଗ୍ରାମର ଖୁଦପୁତୁଲିଠାରେ ରାତି ସମୟରେ ଘଟିଥିବା ଏକ ସଶସ୍ତ୍ର ଗୃହ ପ୍ରବେଶ ମାମଲା (ଘଟଗାଁ ଥାନା ମାମଲା ସଂଖ୍ୟା ୪୦୮, ତାରିଖ ୦୩.୦୮.୨୦୨୬, ଧାରା- U/S-୩୩୧ (୮)/୩୧୦ (୩) BNS, ଏବଂ ୨୫/୨୭ ଆର୍ମସ୍ ଆକ୍ଟ) ର ତଦନ୍ତରେ ଘଟଗାଁ ପୋଲିସକୁ ଏକ ବଡ଼ ମିଳିଛି ସଫଳତା।
ଗତ ଅଗଷ୍ଟ ୨ ତାରିଖ ରାତିରେ, ଖୁଦପୁତୁଲି ଗ୍ରାମର ଏକ ଆବାସିକ ଗୃହରେ ଚୋରି/ଡକାୟତି କରିବା ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ପ୍ରବେଶ କରିଥିଲେ । ଘରର ମାଲିକ ଯତୀନ୍ଦ୍ର ମହାନ୍ତ ସେମାନଙ୍କ ଉପସ୍ଥିତି ବିଷୟରେ ଜାଣିପାରି ଯେତେବେଳେ ପ୍ରତିରୋଧ କରିଥିଲେ, ସେତେବେଳେ ଜଣେ ଦୁର୍ବୃତ୍ତ ଗୁଳି ଚଳାଇଥିଲା, ଯାହାଫଳରେ ଗୃହମାଲିକ ଗୁରୁତର ଭାବେ ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ କଟକର SCB ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ଯେଉଁଠାରେ ୫ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।
କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ (SP) ଙ୍କ ନିର୍ଦ୍ଦେଶକ୍ରମେ, ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ, ଠାବ ଏବଂ ଗିରଫ କରିବା ପାଇଁ ୯ଟି ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ଏହି ଟିମ୍ଗୁଡ଼ିକ ଝାଡ଼ଖଣ୍ଡର ଚାଇବାସା, ରାଞ୍ଚି, ଜାମସେଦପୁର ଏବଂ ମଝଗାଓଁ ଅଞ୍ଚଳରେ ବ୍ୟାପକ ଗୋପନୀୟ ସୂଚନା ସଂଗ୍ରହ ସହ ଅପରାଧିକ ପୃଷ୍ଠଭୂମିର ଯାଞ୍ଚ କରିଥିଲେ। ସମନ୍ବିତ କ୍ଷେତ୍ର ଅନୁସନ୍ଧାନ, ସୂଚନା ଭିଭିକ କାର୍ଯ୍ୟାନୁଷ୍ଠାନ ଏବଂ ନିରନ୍ତର ପ୍ରୟାସ ମାଧ୍ୟମରେ ତଦନ୍ତକାରୀ ଦଳ ଏହି ମାମଲାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିବାରେ ସକ୍ଷମ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା, ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ଚାଲାଣ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଉପ ଆରକ୍ଷୀ ଅଧିକ୍ଷକ ପ୍ରତୀକ ମହାପାତ୍ର ।
ଅନୁସନ୍ଧାନରୁ ଏହି ଘଟଣାରେ ଅନ୍ୟ ସହଯୋଗୀମାନଙ୍କର ସମ୍ପୃକ୍ତି ମଧ୍ୟ ଜଣାପଡ଼ିଛି ଏବଂ ଅପରାଧରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ, ଠାବ ଓ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ମାମଲାରେ ଅଧିକ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ଉପ ଆରକ୍ଷୀ ଅଧିକ୍ଷକ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA