
ମାଲକାନଗିରି , ୨୮ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ପଞ୍ଚାୟତ ସମିତି ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ସେବା ସେତୁ ଅଭିଯାନ ଶିବିର ଏବଂ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ସିଡିଓ-କମ୍-ଇଓ ଦାଶରଥି ସରାବ, ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, କାଲିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବାସିନୀ ସୋଡ଼ି, ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସିଧାସଳଖ ଶୁଣାଣି କରିବା ସହ ତାହାର ତୁରନ୍ତ ନିରାକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ।
ଶିବିରରେ ମୋଟ ୧୦୭ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୫୮ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିବା ବେଳେ ୪୯ଟି ଗ୍ରାମୀଣ ତଥା ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା।
ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଯୋଗାଇଦେବା ଏବଂ ହିତାଧିକାରୀଙ୍କ ସହାୟତା ପାଇଁ ଶିବିର ପରିସରରେ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଓ ସହାୟତା କାଉଣ୍ଟରମାନ ଖୋଲାଯାଇଥିଲା। ଏହି ଅବସରରେ କାଲିମେଳା ତହସିଲ ଅନ୍ତର୍ଗତ ଟେକଗୁଡ଼ା, ପଦ୍ମପୁର, ରବଗୁଡ଼ା ଓ କୋଟମେଟଲା ଗ୍ରାମର ହିତାଧିକାରୀଙ୍କୁ ମୋଟ ୧୧୩ଟି ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ