
ପଟ୍ଟାମୁଣ୍ଡାଇ , 28 ସେପ୍ଟେମ୍ବର (ହି.ସ.)କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କଷଣଅଣ୍ଟା ଗ୍ରାମରେ ଶିକ୍ଷକ ଅଭାବ ଓ ବଦଳିକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଗ୍ରାମବାସୀମାନେ ଏକାଠି ହୋଇ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ଏହାରି ଭିତରେ କାର୍ଯ୍ୟରତ ଶିକ୍ଷକଙ୍କ ବଦଳି ହେବା ଦ୍ୱାରା ପିଲାଙ୍କ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଶିକ୍ଷା ବିଭାଗକୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଓ ଅଭିଭାବକମାନେ ଗେଟ୍ରେ ତାଲା ପକାଇ ପ୍ରତିବାଦ କରିଥିଲେ। ସ୍କୁଲରେ ତାଲା ପଡ଼ିବା କାରଣରୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀମାନେ ବାହାରେ ଛିଡ଼ା ହୋଇ ରହିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ତାଲା ଭଙ୍ଗା ଯାଇଥିଲା । ଏହାପରେ ବିଦ୍ୟାଳୟ ଭିତରକୁ ପ୍ରବେଶ କରି ଛାତ୍ରଛାତ୍ରୀମାନେ ନିଜ ନିଜର ପରୀକ୍ଷା ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ