
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ସେଂଟ ଜନ୍ ଆମ୍ବୁଲାନ୍ସର ସ୍ୱେଚ୍ଛାସେବୀମାନଙ୍କ ପ୍ରଶିକ୍ଷଣ ମଡ୍ୟୁଲ୍?କୁ ଅଧିକ ସୁଦୃଢ଼ କରିବା ସହ ସମ୍ପୃକ୍ତ ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରି ସେବାର ମାନ ବୃଦ୍ଧି କରିବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି।
ସୋମବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସେଣ୍ଟ ଜନ୍ ଆମ୍ବୁଲାନ୍ସ, ଓଡ଼ିଶା ରାଜ୍ୟ ସେଂଟରର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତି ।
ଆମ୍ବୁଲାନ୍ସଗୁଡ଼ିକୁ ଆଧୁନିକ ଉପକରଣ ଓ ସୁବିଧାରେ ସଜ୍ଜିତ କରି ଆଧୁନିକୀକରଣ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି । ଅଗ୍ରାଧିକାର ଭିତିରେ ପ୍ରଥମେ ଗୋଟିଏ ଆମ୍ବୁଲାନ୍ସକୁ ଉନ୍ନତ କରି ତା’ପରେ ଅନ୍ୟାନ୍ୟ ଆମ୍ବୁଲାନ୍ସକଗୁଡିକର ସେହି ପରି ଉନ୍ନତି ଆଣିବାକୁ ରାଜ୍ୟପାଳ ମତ ପ୍ରକାଶ କରିଥିଲେ।
ବୈଠକରେ ଆଲୋଚିତ ପ୍ରସ୍ତାବକୁ ସ୍ୱାଗତ କରି ରାଜ୍ୟପାଳ କହିଥିଲେ ଯେ ସେଣ୍ଟ ଜନ୍ ଆମ୍ବୁଲାନ୍ସର ସ୍ୱେଚ୍ଛାସେବୀମାନଙ୍କୁ ପୁରୀ ଶ୍ରୀମନ୍ଦିରରେ ବୟୋଜ୍ୟେଷ୍ଠ ଓ ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧାଜନକ ଦର୍ଶନ ପାଇଁ ନିୟୋଜିତ କରାଯାଇପାରେ। ଏହି ପ୍ରସ୍ତାବକୁ ଅନୁମୋଦନ କରି ସ୍ୱେଚ୍ଛାସେବୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ଆଧୁନିକ ଦକ୍ଷତା ପ୍ରଦାନ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି।
ସେଣ୍ଟ ଜନ୍ ଆମ୍ବୁଲାନ୍ସ, ଓଡ଼ିଶା ରାଜ୍ୟ ସେଂଟରର ସମ୍ମାନୀୟ ସମ୍ପାଦକ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର ସଂଗଠନର କାର୍ଯ୍ୟକଳାପ ଉପରେ ବିବରଣୀ ଉପସ୍ଥାପନ କରିଥିଲେ।
ଏହି ବୈଠକରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ, ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମିତାଭ ଠାକୁର, ଓଡ଼ିଶା ପୋଲିସ୍ ହାଉସିଂ ଓ ୱେଲଫେୟାର୍ କର୍ପୋରେସନ୍ ର ସିଏମଡି ତଥା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅସ୍ୱଥି ଏସ୍ ଏବଂ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା