
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)-ଗଭୀର ଅବପାତର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ଓ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ସେପ୍େଟମ୍ବର ୨୮ ୨୦୨୬ ରେ ଜାରି ସ୍ଥିତି ରିପୋର୍ଟ ଅନୁଯାୟୀ, ସମଗ୍ର ରାଜ୍ୟରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
୨୮ ସେପ୍େଟମ୍ବର ୨୦୨୬ ସକାଳ ୮ଟା ୩୦ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୦.୧ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୧.୩ ମିମି ବର୍ଷା ହୋଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ପରିମାଣ ଶୂନ ରହିଛି। ଏଥିରୁ ରାଜ୍ୟରେ ବର୍ଷାର ପରିମାଣରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ସ୍ପଷ୍ଟ ହେଉଛି।
ଗଭୀର ଅବପାତର ପ୍ରଭାବରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କେତେକ ବ୍ଲକ ଏବଂ ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି। କୋରାପୁଟର ୨ଟି ବ୍ଲକ, ୨୦ଟି ଗ୍ରାମ ପଞ୍ଚାୟତ ଓ ୪୧ଟି ଗ୍ରାମ ପ୍ରଭାବିତ ହୋଇଥିବାବେଳେ ୬,୩୯୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୨,୬୮୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୩୬ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି।
ନବରଙ୍ଗପୁରର ୩ଟି ବ୍ଲକ, ୧୩ଟି ଗ୍ରାମ ପଞ୍ଚାୟତ ଓ ୩୧ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୧୬,୮୯୧ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୨,୩୯୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ୧୮ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି।
ବୁଢ଼ାବଳଙ୍ଗ, ବୈତରଣୀ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି। ବାଲେଶ୍ୱରରେ ୫୪୧ଟି ଗ୍ରାମର ୫୦,୪୫୬ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୪୯,୫୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ୭୭ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି।
ଯାଜପୁରରେ ୫,୦୫୯ ଜଣ ପ୍ରଭାବିତ ହୋଇଥିବାବେଳେ ୩,୮୭୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ୧୯ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ଭଦ୍ରକରେ ୧୧,୨୫୧ ଜଣ ପ୍ରଭାବିତ ଓ ୮,୨୭୮ ଜଣ ସ୍ଥାନାନ୍ତର ହୋଇଥିବାବେଳେ ୬୬ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ମୟୂରଭଞ୍ଜରେ ୨,୪୨୫ ଜଣ ପ୍ରଭାବିତ ଓ ୨,୩୫୪ ଜଣ ସ୍ଥାନାନ୍ତର ହୋଇଛନ୍ତି ; ସେଠାରେ ୨୨ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି।
ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ବାଲେଶ୍ୱରକୁ ୩୨୬ ମେଟ୍ରିକ୍ ଟନ, ଯାଜପୁରକୁ ୩୧.୩୨ ମେଟ୍ରିକ୍ ଟନ, ଭଦ୍ରକକୁ ୧୭୫.୨ ମେଟ୍ରିକ୍ ଟନ, ମୟୂରଭଞ୍ଜକୁ ୪୦ ମେଟ୍ରିକ୍ ଟନ ଏବଂ କୋରାପୁଟକୁ ୧୮.୮୦ ମେଟ୍ରିକ୍ ଟନ ଗୋଖାଦ୍ୟ ଯୋଗାଣ କରାଯାଇଛି। ମୋଟ ୫୯୧.୩୨ ମେଟ୍ରିକ୍ ଟନ ଗୋଖାଦ୍ୟ ଯୋଗାଇ ଦିଆଯାଇଛି।
ପ୍ରଭାବିତ ଅଞ୍ଚଳରେ ମୋଟ ୫୭ଟି ଓଡ୍ରାଫ୍ ଟିମ୍ ଓ ୭ଟି ଏନଡିଆରଏଫ୍ ଟିମ୍, ଅର୍ଥାତ୍ ସମୁଦାୟ ୬୪ଟି ରେସପନ୍ସ ଟିମ୍ ମୁତୟନ କରାଯାଇଛି। ବାଲେଶ୍ୱରରେ ୯ଟି ଓଡ୍ରାଫ୍ ଓ ୨ଟି ଏନଡିଆରଏଫ୍ଟିମ୍, କୋରାପୁଟରେ ୪ଟି ଓଡ୍ରାଫ୍ ଟିମ୍, ନବରଙ୍ଗପୁରରେ ୫ଟି ଓଡ୍ରାଫ୍ ଟିମ୍, ଭଦ୍ରକରେ ୩ଟି ଓଡ୍ରାଫ୍ ଟିମ୍ ଏବଂ ଯାଜପୁରରେ ୩ଟି ଓଡ୍ରାଫ୍ ଓ ୧ଟି ଏନଡିଆରଏଫ୍ ଟିମ୍ ମୁତୟନ ରହିଛି। ଲୋକମାନଙ୍କୁ ପାଣିପାଗର ସ୍ଥିତି ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ସୁରକ୍ଷିତ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ବନ୍ୟା, ରାସ୍ତାରେ ଜଳ ଜମିବା ଏବଂ ସହରାଞ୍ଚଳର ଅଣ୍ଡରପାସ୍ ବନ୍ଦ କରିବା ଆବଶ୍ୟକ ହେଲେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ କୁହାଯାଇଛି। କଚ୍ଚା ରାସ୍ତାର ସାମାନ୍ୟ କ୍ଷତି, ଦୁର୍ବଳ ଗଠନର କ୍ଷତି, ଭୂସ୍ଖଳନ ଏବଂ ଜଳମଗ୍ନ ଅଞ୍ଚଳରେ ଉଦ୍ୟାନ କୃଷି ଓ ଠିଆ ଫସଲର କ୍ଷତି ଭଳି ସମ୍ଭାବ୍ୟ ପରିସ୍ଥିତି ପ୍ରତି ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି।
ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର , ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ୨୪୍ଠ୭ ଭିତ୍ତିରେ ପରିସ୍ଥିତି ନିରୀକ୍ଷଣ କରୁଛି। ବର୍ତ୍ତମାନ ସମଗ୍ର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା