
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ସହିଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସହିଦ ଭଗତ ସିଂହ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ନିର୍ଭୀକ ଦେଶପ୍ରେମ, ଭାରତର ସ୍ୱାଧୀନତା ପ୍ରତି ଅବିଚଳ ପ୍ରତିବଦ୍ଧତା ଏବଂ ସର୍ବୋଚ୍ଚ ବଳିଦାନ ଆମ ସ୍ୱାଧୀନତା ସଂଗ୍ରାମର ଆତ୍ମାର ଏକ ଅମର ପ୍ରତୀକ ହୋଇ ରହିଛି। ତାଙ୍କର ଉକ୍ତି, “ସ୍ୱାଧୀନତା ସମସ୍ତଙ୍କର ଏକ ଅବିନଶ୍ୱର ଜନ୍ମସିଦ୍ଧ ଅଧିକାର” ରାଷ୍ଟ୍ର ପ୍ରତି ତାଙ୍କର ଗଭୀର ସମର୍ପଣ ଭାବକୁ ପ୍ରତିଫଳିତ କରେ। ତାଙ୍କର ମହାନ ବଳିଦାନକୁ ସର୍ବଦା ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତ ମାତାର ମୁକ୍ତି ସଂଗ୍ରାମର ଅଗ୍ରଦୂତ, ଅଦମ୍ୟ ସାହସ ଓ ଦେଶପ୍ରେମର ପ୍ରତୀକ ଅମର ଶହୀଦ ଭଗତ ସିଂହଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ମାତୃଭୂମିର ସ୍ୱାଧୀନତା ପାଇଁ ତାଙ୍କର ସର୍ବୋଚ୍ଚ ବଳିଦାନ ଏବଂ ବୈପ୍ଳବିକ ଆଦର୍ଶ ଦେଶର ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ତଥା ଦେଶସେବା ଦିଗରେ ଚିରଦିନ ଅନୁପ୍ରାଣିତ କରିଚାଲିଥିବ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତ ମାତା ର ସୁଯୋଗ୍ୟ ସନ୍ତାନ, ମହାନ କ୍ରାନ୍ତିକାରୀ, ଅମର ଶହୀଦ ବୀର ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସାହସିକତା ଓ ରାଷ୍ଟ୍ରପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ ସହିଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, ଅମର ଶହୀଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ତାଙ୍କର ଅସୀମ ସାହସ, ଦେଶପ୍ରେମ ଓ ପ୍ରତିବଦ୍ଧତା ପ୍ରତି କୋଟି କୋଟି ପ୍ରଣାମ। ମାତୃଭୂମିର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ତ୍ୟାଗ ଓ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସଦାସର୍ବଦା ଅମର ହୋଇରହିବ।
ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ମାତୃଭୂମିର ସ୍ୱାଧୀନତା ପାଇଁ ହସି ହସି ଫାଶୀକୁ ଆପଣେଇ ନେଇଥିବା ବିପ୍ଳବର ମହାନାୟକ, ଅମର ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ତାଙ୍କର ଅଦମ୍ୟ ସାହସ ଓ ଦେଶପ୍ରେମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଚିର ପ୍ରେରଣାର ଉତ୍ସ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଭାରତର ସ୍ୱାଧୀନତା ପାଇଁ ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ, ଯାହାକୁ କେବେବି ଭୁଲିହେବ ନାହିଁ। ତାଙ୍କର ସାହସ, ବୀରତ୍ୱ ଏବଂ ମାତୃଭୂମି ପ୍ରତି ଅଗାଢ଼ ଭଲପାଇବା ଆଗାମୀ ପିଢ଼ିମାନଙ୍କୁ ମଧ୍ୟ ସର୍ବଦା ପ୍ରେରଣା ଯୋଗାଇ ଚାଲିବ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାନ କ୍ରାନ୍ତିକାରୀ ତଥା ସହିଦ ଭଗତ ସିଂହ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି। ଅଳ୍ପ ବୟସରେ ହିଁ ସେ ନିଜର ଅଦମ୍ୟ ସାହସ ବଳରେ ସ୍ୱାଧୀନତା ସଂଗ୍ରାମକୁ ନୂତନ ଶକ୍ତି ଓ ଉର୍ଜା ପ୍ରଦାନ କରିଥିଲେ। ମାତୃଭୂମିର ସ୍ୱାଧୀନତା ପାଇଁ ତାଙ୍କର ସାହସ, ଦେଶଭକ୍ତି ଓ ସର୍ବୋଚ୍ଚ ବଳିଦାନ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଚାଲିଥିବ।
.......
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା