
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ସୋମବାର ଏମଏମଡିଆର ସଂଶୋଧନ ବିଧେୟକକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହର କାର୍ଯ୍ୟବିଧି ବାଧାପ୍ରାପ୍ତ ହୋଇଛି। ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ହଟ୍ଟଗୋଳ କାରଣରୁ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିପାରିନାହିଁ।
ସୋମବାର ନିର୍ଦ୍ଧାରିତ ସମୟ ସକାଳ ୧୦ଟା ୩୦ ମିନିଟ୍ରେ ଗୃହର କାର୍ଯ୍ୟବିଧି ଆରମ୍ଭ ହେବା ମାତ୍ରେ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ସଦସ୍ୟମାନେ ଏମଏମଡିଆର ବିଧେୟକର ବିରୋଧରେ ନାରାବାଜି କରି ବାଚସ୍ପତିଙ୍କ ଆସନ ସମ୍ମୁଖକୁ ଆସିଥିଲେ। ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ସ୍ୱାଭାବିକ କାର୍ଯ୍ୟବିଧି ଚାଲିପାରିନଥିଲା।
ପ୍ରଶ୍ନକାଳରେ ଉତ୍ତର ଦେବା ପାଇଁ ବାଚସ୍ପତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଡାକିଥିଲେ। ମନ୍ତ୍ରୀ ମହାଲିଙ୍ଗ ଉତ୍ତର ଦେବା ଆରମ୍ଭ କରିଥିଲେ ମଧ୍ୟ ବିରୋଧୀ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଜାରି ରଖିଥିଲେ। ଏହା ଫଳରେ ପ୍ରଶ୍ନକାଳର କାର୍ଯ୍ୟବିଧି ବାଧାପ୍ରାପ୍ତ ହୋଇଥିଲା।
ଏମଏମଡିଆର ସଂଶୋଧନ ଅଧିନିୟମର ବିରୋଧରେ କଂଗ୍ରେସ ଓ ବିଜେଡି କ୍ରମାଗତ ଭାବେ ବିଧାନସଭାରେ ପ୍ରତିବାଦ କରିଆସୁଛନ୍ତି। ମୌସୁମୀ ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହକୁ ମୁଲତବୀ କରିବାକୁ ପଡ଼ିଛି।
ଏମଏମଡିଆର ସଂଶୋଧନ ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବିଜେଡି ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ କରୁଛି। ଅନ୍ୟପକ୍ଷରେ, କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ମଧ୍ୟ ଆସନ୍ତା ୨୯ ସେପ୍ଟେମ୍ବରରେ ଏମଏମଡିଆର ସଂଶୋଧନ ଅଧିନିୟମର ବିରୋଧରେ ଭୁବନେଶ୍ୱରରେ ଓଡ଼ିଶା ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରିବାକୁ ଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା