
କେନ୍ଦ୍ରାପଡ଼ା, ୨୮ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ଥେରାପି ଚିକିତ୍ସା ସେବା ଓ ଦିବ୍ୟାଙ୍ଗଙ୍କ ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରିଆସୁଥିବା ‘ପୁନର୍ବାସ’ ଅନୁଷ୍ଠାନ ପକ୍ଷରୁ ପ୍ରଥମ ‘ସୁକାନ୍ତ ଚୌଧୁରୀ ସ୍ମାରକୀ ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଚଳିତ ବର୍ଷଠାରୁ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଜଣେ ବାକ୍ ଓ ଶ୍ରବଣବାଧିତ ଦିବ୍ୟାଙ୍ଗ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। କେନ୍ଦ୍ରାପଡ଼ା ସହର ମାଧପୁର ଗ୍ରାମର ପ୍ରତିଷ୍ଠିତ ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ସ୍ୱର୍ଗତ ସୁକାନ୍ତ ଚୌଧୁରୀଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନ ସ୍ୱରୂପ ୧୦ ହଜାର ଟଙ୍କା ଓ ସ୍ମାରକୀ ମାନପତ୍ର ପ୍ରଦାନ କରାଯାଉଛି ବୋଲି ଅନୁଷ୍ଠାନର କୋଷାଧ୍ୟକ୍ଷ ଶିବଚରଣ ସାମଲ ସୂଚନା ଦେଇଛନ୍ତି।
ମାଧପୁରସ୍ଥିତ ଅମରଉଦ୍ୟାନ ଶିଶୁ ଥେରାପି କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଓଡ଼ିଶା ଶ୍ରବଣବାଧିତ ମହାସଂଘର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ଷୀୟାନ ଦିବ୍ୟାଙ୍ଗ ବ୍ୟକ୍ତିତ୍ୱଙ୍କୁ ଏହି ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଏବଂ କେନ୍ଦ୍ରାପଡ଼ା ସଦର ଥାନାର ଅତିରିକ୍ତ ଆଇଆଇସି ସୌମ୍ୟରଞ୍ଜନ ପାଣିଗ୍ରାହୀ ଓ ଜୟନ୍ତୀ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ ଯେ, ଭାଷାହୀନ ନୀରବତା କିମ୍ବା ଶ୍ରବଣବାଧିତା ଜଣେ ବ୍ୟକ୍ତିଙ୍କ ଦକ୍ଷତା, ସାମର୍ଥ୍ୟ ଓ ପ୍ରତିଭା ପ୍ରଦର୍ଶନରେ ଅନ୍ତରାୟ ହୋଇପାରେ ନାହିଁ।
ଅନୁଷ୍ଠାନର ପ୍ରତିଷ୍ଠାତା ବିରଜା ରାଉତରାୟଙ୍କ ସଞ୍ଚାଳନାରେ ଆୟୋଜିତ ସମାରୋହରେ ସଭ୍ୟ ସ୍ୱପ୍ନାଂଶୁ କୁମାର ଦାସ ପ୍ରାରମ୍ଭିକ ଅଭିଭାଷଣ ଦେଇଥିବାବେଳେ ସହସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ବାକ୍ ଓ ଶ୍ରବଣବାଧିତଙ୍କ ସଂକେତ ଭାଷା ବ୍ୟାଖ୍ୟାକାର ପ୍ରମୋଦ ମହାପାତ୍ର କାର୍ଯ୍ୟକ୍ରମରେ ସଂକେତ ଭାଷା ମାଧ୍ୟମରେ ଅଭିଭାଷଣଗୁଡ଼ିକୁ ବ୍ୟାଖ୍ୟା କରିଥିଲେ। ଏହା ଉପସ୍ଥିତ ବାକ୍ ଓ ଶ୍ରବଣବାଧିତ ଦଧିବାମନଜୀଉ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବକମାନଙ୍କ ସହ କାର୍ଯ୍ୟକ୍ରମକୁ ଯୋଡ଼ିବାରେ ଏକ ସେତୁ ଭଳି କାର୍ଯ୍ୟ କରିଥିଲା।
ପୁନର୍ବାସ ପକ୍ଷରୁ ମୁଖ୍ୟ ସିବିଆର୍ ଅଭିଷେକ ଓ ଧରଣୀଧର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି