
କେନ୍ଦ୍ରାପଡ଼ା, ୨୮ ସେପ୍ଟେମ୍ବର (ହି.ସ.)। ଉତ୍କଳ ସମ୍ମିଳନୀ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ୩୧ତମ ସ୍ୱନକ୍ଷତ୍ର ଦିବସ ଅବସରରେ କବିବର ରାଧାନାଥ ରାୟଙ୍କ ୧୭୯ତମ ଜୟନ୍ତୀ ସମାରୋହ ପାଳିତ ହୋଇଛି। ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଣେତା ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅଗ୍ରଣୀ ବ୍ୟକ୍ତିତ୍ୱ ଭାବେ ରାଧାନାଥ ରାୟଙ୍କ ଅବଦାନକୁ ଏହି ଅବସରରେ ସ୍ମରଣ କରାଯାଇଥିଲା।
ସହରସ୍ଥିତ ଫ୍ରେଜର ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଉତ୍କଳ ସମ୍ମିଳନୀର ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା ଅଧ୍ୟକ୍ଷତା କରିଥିଲେ। ଖ୍ରୀଷ୍ଟ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସୁରେନ୍ଦ୍ରନାଥ ଆଚାର୍ଯ୍ୟ ମୁଖ୍ୟ ଅତିଥି ଏବଂ ମଦନପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମୋହନ ଚରଣ ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
ବକ୍ତାମାନେ କହିଥିଲେ ଯେ, ମଧୁସୂଦନ ଦାସ, କବିବର ରାଧାନାଥ ରାୟ, ଫକୀରମୋହନ ସେନାପତି ଓ ଗୌରୀଶଙ୍କର ରାୟଙ୍କ ଓଡ଼ିଆ ଭାଷା ପ୍ରତି ଅନୁରାଗ ଓ ସାହିତ୍ୟ ସାଧନା ଓଡ଼ିଆ ଭାଷା ତଥା ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନକୁ ଶକ୍ତି ପ୍ରଦାନ କରିଥିଲା। ରାଧାନାଥ ରାୟଙ୍କ ସାହିତ୍ୟକୃତି ଆଜି ମଧ୍ୟ ଓଡ଼ିଆ ସାହିତ୍ୟରେ ଅମ୍ଳାନ ରହିଛି ବୋଲି ସେମାନେ ମତ ଦେଇଥିଲେ।
ସଂଗଠନର ସମ୍ପାଦକ ଡ. ବାସୁଦେବ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବ୍ୟାଖ୍ୟା କରିଥିଲେ। କବି ନିରୁପମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସବ୍ୟସାଚୀ ବେହେରା, ରବୀନ୍ଦ୍ର ପ୍ରସାଦ ଜେନା, ଡ. ଚୈତନ୍ୟ ଚରଣ ପରିଡ଼ା, ମହେନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ତ୍ରିପାଠୀ, ନୃସିଂହ ଚରଣ ତ୍ରିପାଠୀ, ଶରତ କୁମାର ରାଉତ, ଶୈଳବାଳା ସାମଲ, ସରୋଜକାନ୍ତ ନାୟକ, ବିକ୍ରମ କେଶରୀ ସାମଲ, ତପନ କୁମାର ଦାଶ, ଶ୍ରୀଧର ମହାନ୍ତି ଓ ସୋହାନା ବେଗମ୍ ପ୍ରମୁଖ ଯୋଗଦେଇ କବିବର ରାଧାନାଥ ରାୟଙ୍କ ସାହିତ୍ୟିକ କୃତି ଓ ଅବଦାନ ଉପରେ ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି