
ନୂଆଦିଲ୍ଲୀ, ୩ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ହାଇଦ୍ରାବାଦ ହାଉସରେ ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କୁ ଭେଟିଛନ୍ତି । ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ତଥା ଆଂଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।
ଏହାପୂର୍ବରୁ, ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର, ଯିଏକି ଭାରତରେ ପହଂଚିଥିଲେ, ରାଜଘାଟ ପରିଦର୍ଶନ କରିଥିଲେ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଡି ୱେଭର ବୁଧବାର ରାତିରେ ଭାରତକୁ ତିନି ଦିନିଆ ସରକାରୀ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଂଚିଥିଲେ । ତାଙ୍କ ସହିତ ବେଲଜିୟମର ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ୍ ମଧ୍ୟ ଅଛନ୍ତି । ୨୦୨୫ ଫେବୃଆରୀରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଭାବେ ଡି ୱେଭରଙ୍କର ଏହା ପ୍ରଥମ ଭାରତ ଗସ୍ତ । ନୂଆଦିଲ୍ଲୀରେ ପହଂଚିବା ପରେ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ସଞ୍ଜୟ ସେଠ ତାଙ୍କୁ ସ୍ୱାଗତ କରିଥିଲେ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଡି ୱେଭରଙ୍କ ଗସ୍ତ ଭାରତ ଏବଂ ବେଲଜିୟମ ମଧ୍ୟରେ ଘନିଷ୍ଠ ଏବଂ ବହୁମୁଖୀ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଉଦ୍ଦିଷ୍ଟ । ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ପ୍ରଯୁକ୍ତିବିଦ୍ୟା, ଅକ୍ଷୟ ଶକ୍ତି, ସଂଯୋଗ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଉଭୟ ପକ୍ଷ ଆଲୋଚନା କରିବେ ।
ବେଲଜିୟମର ପ୍ରଧାନମନ୍ତ୍ରୀ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ସନ୍ଦର୍ଭରେ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିର ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟ ଭାଷଣ ଦେବେ । ଏହାପରେ ସେ ମୁମ୍ବାଇ ଗସ୍ତ କରିବେ, ଯେଉଁଠାରେ ସେ ହୀରା, ବନ୍ଦର ଏବଂ ଲଜିଷ୍ଟିକ୍ସ କ୍ଷେତ୍ରର ଅଂଶୀଦାରମାନଙ୍କ ସହ ମତ ବିନିମୟ କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ