
ନୂଆଦିଲ୍ଲୀ, ୦୪ ସେପ୍େଟମ୍ବର(ହି.ସ.) – କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଶୁକ୍ରବାର ଦିନ ମାଟିୟାଲା ସ୍ଥିତ ଏମ୍.ସି.ଡି. କମ୍ୟୁନିଟି ହଲ୍ରେ ନଜଫଗଡ଼ ଅଂଚଳର ଆବର୍ଜନା ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ ନମସ୍ତେ ଏବଂ ଆୟୁଷ୍ମାନ କାର୍ଡ଼ ବଂଟନ କରିଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ଜାତୀୟ ଯାନ୍ତ୍ରିକ ପରିମଳ ଇକୋସିଷ୍ଟମ(ଏନ୍ଏଏମ୍ଏଏସ୍ଟିଇ) ଯୋଜନା ଅଧିନରେ ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ ଆନୁଷ୍ଠାନିକ ଚିହ୍ନଟ ଏବଂ ସାମାଜିକ ସୁରକ୍ଷା ପ୍ରଦାନ ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିପଜ୍ଜନକ ହସ୍ତଚାଳିତ ସଫେଇ କାର୍ଯ୍ୟକୁ ସମାପ୍ତ କରିବା, ପରିମଳ କାର୍ଯ୍ୟକୁ ଯାନ୍ତ୍ରିକ କରିବା ଏବଂ ଶ୍ରମିକମାନଙ୍କୁ ଦକ୍ଷତା ବିକାଶ ତଥା ସାମାଜିକ ସୁରକ୍ଷା ସୁବିଧା ପ୍ରଦାନ କରିବା। ମନ୍ତ୍ରୀ କହିଥିଲେ ଯେ ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଏବଂ କଲ୍ୟାଣ ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ। ସେ ଶ୍ରମିକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ସେମାନଙ୍କ କାର୍ଯ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ ଜାରି ରଖିବେ ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକ ପର୍ଯ୍ୟନ୍ତ ସିଧାସଳଖ ପହଂଚିବା ସୁନିଶ୍ଚିତ କରିବେ। ନମସ୍ତେ କାର୍ଡ଼ ସହିତ, କାର୍ଯ୍ୟକ୍ରମ ସମୟରେ ଶ୍ରମିକମାନଙ୍କୁ ଆୟୁଷ୍ମାନ କାର୍ଡ଼ ମଧ୍ୟ ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କୁ ମାଗଣା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କଭରେଜ୍ ପାଇବାରେ ସକ୍ଷମ କରିଥିଲା। ଏହି କାର୍ଯ୍ୟକ୍ରମରେ ଏମ୍.ସି.ଡି.ର ନଜଫଗଡ଼ ଜୋନ୍ରୁ ୩୦୦ରୁ ଅଧିକ ଆବର୍ଜନା ସଂଗ୍ରହକାରୀ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି