
ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଗଞ୍ଜେଇ ଚାଲାଣ ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । କାଲିମେଳା ଥାନା ଅଞ୍ଚଳରୁ ପ୍ରାୟ ୪୪୦ କେଜି ଗଞ୍ଜେଇ ଜବତ ହୋଇଛି ।
ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ ତାରିଖ ରାତିରେ କାଲିମେଳା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଭେଙ୍କଟପାଲମ ଗ୍ରାମ ନିକଟ ଜଙ୍ଗଲରେ ଏକ ଲାଲ ରଙ୍ଗର ମହିନ୍ଦ୍ରା ଡିଆଇ ଟ୍ରାକ୍ଟରକୁ ସନ୍ଦେହ କରି ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ନମ୍ବର ପ୍ଲେଟ୍ ନଥିବା ଟ୍ରଲର ସହ ଟ୍ରାକ୍ଟରରୁ ପ୍ରାୟ ୪୪୦ କେଜି ଗଞ୍ଜେଇ ମିଳିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପ୍ରେସ୍ ନୋଟ୍ ରେ ଦର୍ଶାଇଛି । ଗଞ୍ଜେଇ ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଏବଂ ଟ୍ରେଲରକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ପୋଲିସକୁ ଦେଖି ଘଟଣାସ୍ଥଳରେ ଥିବା ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏନେଇ କାଲିମେଳା ଥାନାରେ କେସ୍ ନମ୍ବର ୨୦୫/୨୦୨୬ ରୁଜୁ ହୋଇଛି । ଏନଡିପିଏସ ଆଇନର ଧାରା ୨୦(ବି )(ଆଇ ଆଇ )(ସି ) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ