
ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମାଲକାନଗିରି ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ଶିକ୍ଷକ ଦିବସ ସମ୍ମାନ ସମାରୋହ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ମାଲକାନଗିରି ଯୋଗଦେଇ କହିଥିଲେ ଯେ, ଶିକ୍ଷକ ହିଁ ସମାଜର ମେରୁଦଣ୍ଡ। ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଶିକ୍ଷକମାନେ ଯେଉଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ଏତଦ୍ ବ୍ଯତୀତ ଏହି ସମାରୋହରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ, ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ପିଏମ୍ ଶ୍ରୀ ସିନ୍ଧ୍ରିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯୋଗଦେଇ ନିଜ ଅଭିଭାଷଣରେ ଶିକ୍ଷାର୍ଥୀଙ୍କ ନିର୍ମାଣରେ ଶିକ୍ଷକମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।
ଉତ୍ସବରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ୪୦ରୁ ଉର୍ଦ୍ଧ୍ୱ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ, ଉପଢୌକନ ଓ ସ୍ମୃତି ଚିହ୍ନ ପ୍ରଦାନ କରାଯାଇ ସମ୍ମାନିତ କରଯାଇଥିଲା। ଶେଷରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ