
ଜୟପୁର, ୫ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲା ଜୟପୁର ସଦର ପୋଲିସ ଡକାୟତି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜୟପୁର ସଦର ଥାନା ଅନ୍ତର୍ଗତ ଦାମାପୁଟ ପରଜାଗୁଡ଼ା ନିକଟସ୍ଥ ଏକ ଫାର୍ମହାଉସ୍ ରେ ଡ଼କାୟତି କରିବା ସହ ମହିଳାଙ୍କୁ ଅସଦାଚରଣ କରିବା ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ସଦର ପୋଲିସ ଗିରଫ କରିଛି l ଗିରଫ ୫ ଅଭିଯୁକ୍ତ ହେଲେ ଦାମାପୁଟ ପରଜାଗୁଡା ଗ୍ରାମର ହରିବନ୍ଧୁ ନାଗ (୬୬), ସୌରାଗୁଡା ଧନପତି ନାଗ (୩୫), ଇରିଗେସନ କୋଲନିର ଅନିତ କୁଳଦିପ (୩୦) ଓ ପପୁ ସୁନା (୨୦), କୁନ୍ଦୁରା ଥାନା ମୁଶଳିଯବା ଗ୍ରାମର ସୁବାସ ହରିଜନ (୨୧) । ବିଳମ୍ବିତ ରାତିରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ପରିବାର ସଦସ୍ୟଙ୍କୁ ମାଡ଼ ମାରିବା ସହ ବନ୍ଧକ ରଖି ଲୁଟ୍ କରିଥିଲେ । ଏପରିକି ଶିଶୁଙ୍କ ବେକରେ ଛୁରି ଲଗାଇ ହତ୍ୟା ଧମକ ଦେବା ଏବଂ ମହିଳାଙ୍କ ସହ ଅସଦାଚରଣ କରିଥିବା ନେଇ ଗତ ୧୩ ତାରିଖରେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୨ଟା ସମୟରେ ଫାର୍ମହାଉସ୍ ରେ ରହୁଥିବା ମନୁ ଯାନି (୪୧) ଘର ବାହାରକୁ ଆସିଥିଲେ। ଏହି ସମୟରେ ମୁହଁରେ ମାସ୍କ ପିନ୍ଧିଥିବା ୫ ଜଣ ଅଜଣା ଯୁବକ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ। ତାଙ୍କୁ ମାଡ଼ ମାରି ଘର ଭିତରକୁ ନେବା ପରେ ବାନ୍ଧି ଦେଇଥିଲେ। ପରେ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଲୁଗାପଟା ଟଣାଓଟରା କରି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ କାନ ଓ ନାକରୁ ସୁନା ଅଳଙ୍କାର ଛଡ଼ାଇ ନେବା ସହ ଘରୁ ନଗଦ ୮ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍ ଲୁଟ କରିବା ସହ ମନୁ ଯାନିଙ୍କୁ ଭୟଭୀତ କରି ପଡ଼ୋଶୀ ତିଲି ସାନ୍ତା (୩୪)ଙ୍କ ପରିବାରକୁ ଡକାଇଥିଲେ। ତିଲି ସାନ୍ତା, ତାଙ୍କ ସ୍ତ୍ରୀ ଓ ପିଲାମାନେ ବାହାରକୁ ଆସିବା ପରେ ସେମାନଙ୍କୁ ମଧ୍ୟ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତିଲି ସାନ୍ତାଙ୍କ ପରିବାରର ସଦସ୍ୟଙ୍କ କାନ ଓ ନାକରୁ ଅଳଙ୍କାର ଛଡ଼ାଇ ନେଇଥିଲେ। ଏପରିକି ତାଙ୍କ ଛୋଟ ପିଲାମାନଙ୍କ ବେକରେ ଛୁରି ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ତିଲି ସାନ୍ତାଙ୍କ ଘରୁ ନଗଦ ୫ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍ ଲୁଟ୍ କରିଥିଲେ। ଲୁଟେରାମାନେ ନଗଦ ଟଙ୍କା ଓ ଅଳଙ୍କାର ସହ । ଫାର୍ମହାଉସ୍ ରୁ ୪ଟି କୁକୁଡ଼ା, ୨ଟି କୁଡ଼ିକି, ଗୋଟିଏ ଶାବଳ, ଗୋଟିଏ ଗାଗଡ଼ା ଓ ଗୋଟିଏ ଟାଙ୍ଗିଆ ମଧ୍ୟ ନେଇ ପଳାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାକୁ ନେଇ ମନୁ ଯାନି ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଜୟପୁର ସଦର ଥାନା ପୋଲିସ ୨୬୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ତଦନ୍ତରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଲୁଟ ସାମଗ୍ରୀ ଜବତ କରିଛି l ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି
ହିନ୍ଦୁସ୍ଥାନ ସମାଚାର / ପିକେପି