
ନୂଆପଡା, ୫ ସେପ୍ଟେମ୍ବର (ହି.ସ.)- ଆଲୋକ ଓ ଅମୃତର କବି ଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର। ତାଙ୍କ ସାହିତ୍ୟରେ ପ୍ରକୃତିର ଅପୂର୍ବ ବର୍ଣ୍ଣନା ସହିତ ଜୀବନ ଦର୍ଶନର ଗଭୀର ଛାପ ରହିଛି। ତାଙ୍କ ସୃଷ୍ଟି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ସହ ଆଜି ମଧ୍ୟ ପାଠକଙ୍କୁ ପ୍ରେରଣା ଯୋଗାଇ ଆସୁଛି ବୋଲି ଖଡ଼ିଆଳ ସାହିତ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଓଡ଼ିଶାର ସର୍ବପୁରାତନ ସାହିତ୍ୟାନୁଷ୍ଠାନ ଭାବେ ପରିଚିତ ଖଡ଼ିଆଳ ସାହିତ୍ୟ ସମିତି ପକ୍ଷରୁ ଏହି ଜୟନ୍ତୀ ସମାରୋହ ଖଡ଼ିଆଳ ରାଜ ଦରବାରରେ ଆଜି ଆୟୋଜିତ ହୋଇଥିଲା।
ସୁସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଙ୍ଗୀତ ସୌରଭ ନନ୍ଦଲାଲ ବାରିକ ମୁଖ୍ୟ ଅତିଥି, ବିଶିଷ୍ଟ କବି ନୀଳଲୋହିତ ସିଂହଦେଓ ମୁଖ୍ୟବକ୍ତା ଏବଂ ଶିକ୍ଷାବିତ୍ ସତୀଶ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମିତିର ଯୁଗ୍ମ ସମ୍ପାଦକ ଆଦିତ୍ୟ ନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଦସ୍ୟ ଚତୁର୍ଭୁଜ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ। କବି ଅବକାଶ ନାରାୟଣ ପଣ୍ଡା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସମାରୋହରେ ଖଡ଼ିଆଳ ରାଜାସାହେବ ଦେବଦେବ ସିଂହଦେଓ, ଡକ୍ଟର ତରୁଣ କୁମାର ପ୍ରଧାନ, ନବୀନ କିଶୋର ପାଢ଼ୀ, ଡୋଲା ମୋହନ ସିଂହ ବାବୁ, ଗୌରାଙ୍ଗ କୁମାର ସାହୁ, କ୍ଷେମରାଜ ମହାପାତ୍ର, ଉପେନ୍ଦ୍ର କୁମାର ପାଣିଗ୍ରାହୀ, ଖରତ ଚନ୍ଦ୍ର ବାରିକ, ଗୋବର୍ଦ୍ଧନ ସାହୁ, ନନ୍ଦ କିଶୋର ପ୍ରଧାନୀ, ଅଶ୍ୱିନୀ କୁମାର ପାଣିଗ୍ରାହୀ, ମୁକୁନ୍ଦ ପୁଟେଲ, ସଂଗ୍ରାମ ସିଂ ଠାକୁର, ବ୍ରଜମୋହନ ମେହେର, ରମାକାନ୍ତ ସିଂହ ସାହାଣୀଙ୍କ ସମେତ ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ